ମିଲିଟାରୀ କ୍ୟାଣ୍ଟନମେଣ୍ଟ ଗୁଡ଼ିକରେ ଖୁବ୍ଶୀଘ୍ର ନୂଆ ଡେ’ କେୟାର ଏବଂ ସିନିୟର ସିଟିଜେନ୍ ହୋମ୍ସ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି।
ଉଭୟ ମନ୍ତ୍ରଣାଳୟ ‘ଅଟଳ ବୟୋ ଅଭ୍ୟୁଦୟ ଯୋଜନା’ (AVYAY) ଅଧୀନରେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ନୂଆ ଡେ’-କେୟାର ସେଣ୍ଟର ଏବଂ ସିନିୟର ସିଟିଜେନ୍ ହୋମ୍ସ ଖୋଲିବା ପାଇଁ ହାତ ମିଳାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ଏହି MoU ସ୍ୱାକ୍ଷରିତ ହୋଇଛି।
MoU ରୁ କ’ଣ ମିଳିବ ଫାଇଦା?
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବୁଝାମଣାପତ୍ର (MoU) ରେ ବୟସ୍କ ବ୍ୟକ୍ତିଙ୍କ ଦେଖାଶୁଣା କରୁଥିବା କର୍ମଚାରୀମାନଙ୍କୁ ଦକ୍ଷତା ତାଲିମ (Skill Training) ଦେବାର ଯୋଜନା ମଧ୍ୟ ରଖାଯାଇଛି। ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ‘AVYAY’ ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତା ପ୍ରଦାନ କରିବ। ଏଥିରେ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକ ପକ୍ଷରୁ ନିଜସ୍ୱ ବଜେଟ୍ରେ ପରିଚାଳିତ ହେଉଥିବା ବର୍ତ୍ତମାନର ଡେ’-କେୟାର ସେଣ୍ଟର ଏବଂ ବରିଷ୍ଠ ନାଗରିକ ଗୃହଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଦିଆଯାଉଥିବା ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ରହିବ।
ଏହି ସହରଗୁଡ଼ିକରେ ପୂର୍ବରୁ ରହିଛି ଡେ’ କେୟାର:
• ଅମ୍ବାଲା (ହରିୟାଣା)
• ଦେବଲାଲୀ (ମହାରାଷ୍ଟ୍ର)
• ଜବଲପୁର (ମଧ୍ୟପ୍ରଦେଶ)
• ରାଣୀକ୍ଷେତ (ଉତ୍ତରାଖଣ୍ଡ)
• ଲ୍ୟାନ୍ସଡାଉନ୍ (ଉତ୍ତରାଖଣ୍ଡ)
ଏହି ୨ଟି ସହରରେ ରହିଛି ସିନିୟର ସିଟିଜେନ୍ ହୋମ୍ସ:
• ଅଯୋଧ୍ୟା (ଉତ୍ତରପ୍ରଦେଶ)
• ଲକ୍ଷ୍ନୌ (ଉତ୍ତରପ୍ରଦେଶ)
ସେନାର ବଜେଟରେ ଚାଲୁଛି
ବର୍ତ୍ତମାନ ସେନାର ଡେ’ କେୟାର ଏବଂ ସିନିୟର ସିଟିଜେନ୍ ହୋମ୍ସ ନିଜସ୍ୱ ବଜେଟ୍ରେ ଚାଲୁଛି। ଏଗୁଡ଼ିକ ମୁଖ୍ୟତଃ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ମିଳୁଥିବା ଅନୁଦାନ ଉପରେ ନିର୍ଭରଶୀଳ। ନୂଆ ବୁଝାମଣାପତ୍ର (MoU) ଅଧୀନରେ ‘AVYAY’ ଯୋଜନା ଅନ୍ତର୍ଗତ ଛାଉଣୀଗୁଡ଼ିକରେ ନୂଆ ଡେ’-କେୟାର ସେଣ୍ଟର କିମ୍ବା ସିନିୟର ସିଟିଜେନ୍ ହୋମ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତି ଚାଲିଛି।
ଆଠଟି କ୍ୟାଣ୍ଟନମେଣ୍ଟ ଚିହ୍ନଟ
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଡିଫେନ୍ସ ଇଷ୍ଟେଟ୍ସ’ (DGDE) ଆଠଟି ଛାଉଣୀ ଅଞ୍ଚଳକୁ ଚିହ୍ନଟ କରିଛି, ଯେଉଁଠାରେ ନୂଆ ଡେ’-କେୟାର ସେଣ୍ଟର ଖୋଲାଯାଇପାରିବ। ବିବୃତ୍ତିରେ କୁହାଯାଇଛି ଯେ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ସହ ପରାମର୍ଶ କରି ଏବଂ ପାଣ୍ଠିର ଉପଲବ୍ଧତା ଆଧାରରେ, ପାଞ୍ଚଟି ଛାଉଣୀରେ ପୂର୍ବରୁ ଥିବା ଡେ’-କେୟାର ସେଣ୍ଟର ଏବଂ ଦୁଇଟି ଛାଉଣୀରେ ଥିବା ବରିଷ୍ଠ ନାଗରିକ ଗୃହ (ସିନିୟର ସିଟିଜେନ୍ ହୋମ୍ସ) ଗୁଡ଼ିକୁ ମଧ୍ୟ ଉନ୍ନତ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ DGDE ନୂଆ ସେଣ୍ଟର ଖୋଲିବା ପାଇଁ ଯେଉଁ ଛାଉଣୀଗୁଡ଼ିକୁ ଚିହ୍ନଟ କରିଛି, ସେଗୁଡ଼ିକ ବାରାକପୁର, ବେଲଗାମ, ଝାନ୍ସୀ, ଖଡ଼କୀ, ପୁଣେ, ସିକନ୍ଦରାବାଦ, ସେଣ୍ଟ୍ ଥୋମାସ୍ ମାଉଣ୍ଟ ଏବଂ ଦିଲ୍ଲୀରେ ଅବସ୍ଥିତ।