ନୂଆଦିଲ୍ଲୀ: ଆସିଆନ୍ ଦେଶଗୁଡ଼ିକ ସହ ଭାରତର ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୩ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ସେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି।
ଏଥିରେ ଆସିଆନ୍ ଦେଶର ପର୍ଯ୍ୟଟକଙ୍କ ପାଇଁ ମାଗଣା ଇ-ଭିସା, ସାମୁଦ୍ରିକ ସହଯୋଗ, ପରମାଣୁ ଶକ୍ତି, ସାଇବର ସୁରକ୍ଷା, ମହାକାଶ ଗବେଷଣା ଓ ଯୁବପିଢ଼ିଙ୍କ ମଧ୍ୟରେ ଆଦାନପ୍ରଦାନ ଭଳି ପ୍ରସଙ୍ଗ ସାମିଲ ରହିଛି। ମନିଲାରେ ଅନୁଷ୍ଠିତ ଏହି ସମ୍ମିଳନୀ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ୯ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦିଆଯାଇଛି।
'ପ୍ରତିଯୋଗିତା ନୁହେଁ, ସହଯୋଗ ହିଁ ଭବିଷ୍ୟତ'
ସମ୍ମିଳନୀରେ ମୋଦୀ କହିଛନ୍ତି, ଭାରତ ଏକ ମୁକ୍ତ, ସମାବେଶୀ ଓ ନିୟମ ଆଧାରିତ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ବିଶ୍ୱାସ କରେ। ଏହି ଅଞ୍ଚଳର ଭବିଷ୍ୟତ ପ୍ରତିଯୋଗିତା ନୁହେଁ, ବରଂ ସହଯୋଗ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଆସିଆନ୍ର ଏକତା ଓ କେନ୍ଦ୍ରୀୟ ଭୂମିକା ପ୍ରତି ଭାରତର ସମର୍ଥନକୁ ମଧ୍ୟ ସେ ଦୋହରାଇଛନ୍ତି।
ମୋଦୀଙ୍କ ୯ଟି ପ୍ରମୁଖ ପ୍ରସ୍ତାବ
୧. ମାଗଣା ଇ-ଭିସା: ଆସିଆନ୍ ଦେଶର ପର୍ଯ୍ୟଟକଙ୍କୁ ଭାରତ ଆସିବା ପାଇଁ ମାଗଣା ଇଲେକ୍ଟ୍ରୋନିକ୍ ଭିସା ପ୍ରଦାନ ପ୍ରସ୍ତାବ।
୨. ସାମୁଦ୍ରିକ ସହଯୋଗ: ଭାରତ-ଆସିଆନ୍ ଦୀର୍ଘକାଳୀନ ସାମୁଦ୍ରିକ ସହଯୋଗ ଯୋଜନା। ଏଥିରେ ସମୁଦ୍ର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଓ ଗବେଷଣାକୁ ଗୁରୁତ୍ୱ ଦିଆଯିବ।
୩. ସାଇବର ସୁରକ୍ଷା: ସାଇବର ଫରେନସିକ୍ସ ଟ୍ରେନିଂ ପ୍ରୋଗ୍ରାମ୍ ଆରମ୍ଭ କରି ଅନଲାଇନ୍ ଠକେଇ ଓ ସାଇବର ଅପରାଧର ମୁକାବିଲା ପାଇଁ ଦକ୍ଷତା ବିକାଶ।
୪. ପରମାଣୁ ଶକ୍ତି: ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ଓ ଆସିଆନ୍ ଦେଶ ମଧ୍ୟରେ ବୈଷୟିକ ଆଦାନପ୍ରଦାନ।
୫. ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ: ଖଣି ଓ କ୍ରିଟିକାଲ୍ ମିନେରାଲ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି।
୬. ସ୍ପେସ୍ ହାକାଥନ୍: ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ବିଜ୍ଞାନ, କୃଷି ଓ ସମ୍ବଳ ପରିଚାଳନା ସମ୍ପର୍କିତ ନୂଆ ଚିନ୍ତାଧାରାକୁ ପ୍ରୋତ୍ସାହନ।
୭. ୟୁଥ୍ କନେକ୍ଟ: ଯୁବ ସମ୍ମିଳନୀ, ଯୁବ ସାଂସଦଙ୍କ ଆଦାନପ୍ରଦାନ ଓ ଷ୍ଟାର୍ଟଅପ୍ ହାକାଥନ୍ ଆୟୋଜନ।
୮. ଶିକ୍ଷା ଓ ସଂସ୍କୃତି: ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆସିଆନ୍ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସ୍କଲାରସିପ୍ ଏବଂ WAVES ୨୦୨୭ରେ ସ୍ୱତନ୍ତ୍ର କ୍ରିଏଟିଭ୍ ପାର୍ଟନରସିପ୍ ପାଭିଲିୟନ୍ ସ୍ଥାପନ।
୯. ପର୍ଯ୍ୟଟନ ବିକାଶ: ଆସିଆନ୍ ଦେଶର ପର୍ଯ୍ୟଟକଙ୍କୁ ମାଗଣା ଇ-ଭିସା ଦେଇ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା।
କ'ଣ ଏହି ଆସିଆନ୍ ସଂଗଠନ?
ଆସିଆନ୍ ହେଉଛି ଦକ୍ଷିଣ-ପୂର୍ବ ଏସିଆର ୧୧ଟି ଦେଶର ଏକ ଆଞ୍ଚଳିକ ସଂଗଠନ। ୧୯୬୭ରେ ଏହାର ପ୍ରତିଷ୍ଠା ହୋଇଥିଲା। ଏହି ସଂଗଠନରେ ବ୍ରୁନେଇ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ, ତିମୋର-ଲେଷ୍ଟେ ଓ ଭିଏତନାମ ସାମିଲ ଅଛନ୍ତି। ଭାରତ ଆସିଆନ୍ର ଏକ ପ୍ରମୁଖ ଡାଏଲଗ୍ ପାର୍ଟନର। ଆର୍ଥିକ ବିକାଶ, ବାଣିଜ୍ୟ, ସୁରକ୍ଷା ଓ ସାଂସ୍କୃତିକ ସହଯୋଗ ଏହି ସମ୍ପର୍କର ମୁଖ୍ୟ ଆଧାର।
ମୋଦୀଙ୍କ ଏହି ୯ଟି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ଯୁବ ସହଯୋଗକୁ ନୂଆ ଦିଗ ମିଳିପାରିବ।