ଚେନ୍ନାଇ: ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜି.ଆର୍. ସ୍ୱାମୀନାଥନ ଏବଂ ସିପିଆଇ(ଏମ୍) ସାଂସଦ ସୁ. ଭେଙ୍କଟେସନଙ୍କ ମଧ୍ୟରେ ବିବାଦ ଏବେ ନୂଆ ମୋଡ଼ ନେଇଛି। ସାଂସଦଙ୍କ ଜୀବନଶୈଳୀ, ମର୍ସିଡିଜ୍ କାର୍ ଏବଂ ଟ୍ରେନ୍ ଯାତ୍ରାକୁ ନେଇ ବିଚାରପତିଙ୍କ ମନ୍ତବ୍ୟ ପରେ ମୁହଁ ଖୋଲିଛନ୍ତି ଭେଙ୍କଟେସନ। ତାଙ୍କର କୌଣସି କାର୍ ନାହିଁ ବୋଲି ସ୍ପଷ୍ଟ କରିବା ସହ ବିଚାରପତିଙ୍କ ମନ୍ତବ୍ୟକୁ ସେ ଶସ୍ତା ବ୍ୟକ୍ତିଗତ ଆକ୍ରମଣ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ତାମିଲନାଡୁର ରାଜନୈତିକ ଓ ନ୍ୟାୟିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
କେଉଁଠୁ ଆରମ୍ଭ ହେଲା ବିବାଦ?
ଏହି ବିବାଦର ମୂଳ କାରଣ ହେଉଛି କୋଏମ୍ବାଟୁରର ପେରିୟାର ଅରିଭୁଲଗମ୍ ଲାଇବ୍ରେରୀ ପାଇଁ ବହି କିଣାକୁ ନେଇ ଉଠିଥିବା ଅନିୟମିତତା ଅଭିଯୋଗ। ଲାଇବ୍ରେରୀ ପାଇଁ ନିମ୍ନମାନର ଏବଂ କଥିତ ଭାବେ ଏଆଇ ଦ୍ୱାରା ପ୍ରସ୍ତୁତ ବହି କିଣାଯାଇଥିବା ଅଭିଯୋଗ ହୋଇଥିଲା।ଏହି ପ୍ରସଙ୍ଗରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜଷ୍ଟିସ୍ ସ୍ୱାମୀନାଥନ ମନ୍ତବ୍ୟ ଦେଇଥିଲେ ଯେ, ବିବାଦୀୟ ବହିଗୁଡ଼ିକୁ ହଟାଇ ଦିଆଯାଇଥିବା ସେଲ୍ଫରେ କାଞ୍ଚି ଶଙ୍କରାଚାର୍ଯ୍ୟ ମହାପେରିୟାଭାଙ୍କ ସମ୍ପର୍କିତ ପୁସ୍ତକ ରଖାଯାଇପାରିବ। ଏହାକୁ ସେ ଏକ ପ୍ରକାର ପ୍ରାୟଶ୍ଚିତ୍ତ ବୋଲି କହିଥିଲେ।
ଏହାକୁ ନେଇ ଆପତ୍ତି ଉଠାଇଥିଲେ ସାଂସଦ ଭେଙ୍କଟେସନ। ତାଙ୍କ ମତରେ, ସରକାରୀ ଲାଇବ୍ରେରୀରେ ବହି କିଣାକୁ ନେଇ ଅନିୟମିତତା ହୋଇଥିଲେ ତାହା ଦୁର୍ନୀତିର ବିଷୟ। ଏହାର ଦଣ୍ଡ ଆଇନ ଅନୁସାରେ ମିଳିବା ଉଚିତ। ଦୋଷ ପାଇଁ ପ୍ରାୟଶ୍ଚିତ୍ତର ଉପାୟ କହିବା ବିଚାରପତିଙ୍କ କାମ ନୁହେଁ, ଏହା ଜ୍ୟୋତିଷଙ୍କ କାମ ବୋଲି ସେ ଟିପ୍ପଣୀ ଦେଇଥିଲେ।
ମର୍ସିଡିଜ୍ କାର୍ ଓ ଫାଷ୍ଟ ଏସି ଯାତ୍ରାକୁ ନେଇ ଟାର୍ଗେଟ୍
ସାଂସଦଙ୍କ ଏହି ମନ୍ତବ୍ୟ ପରେ ସୋମବାର ଏକ ଅଦାଲତୀ ଶୁଣାଣି ସମୟରେ ଜଷ୍ଟିସ୍ ସ୍ୱାମୀନାଥନ ନିଜ ପକ୍ଷ ରଖିଥିଲେ। ପୂର୍ବରୁ ଦେଇଥିବା ପ୍ରାୟଶ୍ଚିତ୍ତ ସମ୍ପର୍କିତ ମନ୍ତବ୍ୟ କେବଳ ଥଟ୍ଟାରେ କହିଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ।
ଏହା ସହ ପ୍ରାୟ ଛଅ ମାସ ତଳେ ଚେନ୍ନାଇ ରେଳ ଷ୍ଟେସନରେ ଭେଙ୍କଟେସନଙ୍କ ସହ ହୋଇଥିବା ଏକ ସାକ୍ଷାତକୁ ମନେ ପକାଇଥିଲେ। ବିଚାରପତିଙ୍କ କହିବା ଅନୁଯାୟୀ, ସେହି ସମୟରେ ସାଂସଦ ଏକ ମର୍ସିଡିଜ୍ ବେଞ୍ଜ୍ କାର୍ରେ ଆସିଥିଲେ। ତାଙ୍କ ପୋଷାକ ଓ ଜୋତା ମଧ୍ୟ ବ୍ରାଣ୍ଡେଡ୍ ଥିଲା। ଏପରିକି ପ୍ରଥମେ ତାଙ୍କୁ ଜଣେ କର୍ପୋରେଟ୍ ଅଧିକାରୀ ବୋଲି ଭାବିଥିବା ଜଷ୍ଟିସ୍ କହିଥିଲେ।
ସେହି ଯାତ୍ରାରେ ନିଜେ ସ୍ଲିପର କ୍ଲାସରେ ଯାଉଥିବା ବେଳେ ସାଂସଦ ଫାଷ୍ଟ ଏସିରେ ଯାତ୍ରା କରୁଥିବା କଥା ମଧ୍ୟ ଉଠାଇଥିଲେ। ଜଣେ କମ୍ୟୁନିଷ୍ଟ ନେତାଙ୍କ ଏଭଳି ଜୀବନଶୈଳୀ ତାଙ୍କ ଆୟ ସହ କେତେ ମେଳ ଖାଉଛି, ସେନେଇ ମଧ୍ୟ ପ୍ରଶ୍ନ କରିଥିଲେ।
‘ମୋର କେବେ କାର୍ ନଥିଲା’
ଜଷ୍ଟିସ୍ଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ମଦୁରାଇର ସାଂସଦ ସୁ. ଭେଙ୍କଟେସନ। ମଙ୍ଗଳବାର ସୋସିଆଲ୍ ମିଡିଆରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି, ତାଙ୍କର ଆଜି ପର୍ଯ୍ୟନ୍ତ ନିଜସ୍ୱ କୌଣସି କାର୍ ନାହିଁ। ରେଳ ଷ୍ଟେସନକୁ ଯେଉଁ କାର୍ରେ ସେ ପହଞ୍ଚିଥିଲେ, ତାହା ତାଙ୍କର ନୁହେଁ।