ନୂଆଦିଲ୍ଲୀ: ଦେଶରେ ସଞ୍ଚୟ ଓ ଆର୍ଥିକ ଶୃଙ୍ଖଳାକୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସଂସ୍କୃତି ‘ଖାଅ, ପିଅ ଓ ମଉଜ କର’ ଚିନ୍ତାଧାରାରେ ବିଶ୍ୱାସ କରେନାହିଁ, ବରଂ ସଞ୍ଚୟ ଉପରେ ଗୁରୁତ୍ୱ ଦିଏ ବୋଲି ମନ୍ତ୍ରୀ ପରିଷଦ ବୈଠକରେ କହିଛନ୍ତି ମୋଦି।
ସୂତ୍ର ଅନୁସାରେ, ଦାରିଦ୍ର୍ୟରୁ ମୁକୁଳିଥିବା ଲୋକମାନେ ଯେପରି ପୁଣି ଗରିବୀ ଭିତରକୁ ନ ଫେରନ୍ତି, ସେଥିପାଇଁ ସଞ୍ଚୟ ଓ ଆର୍ଥିକ ଶୃଙ୍ଖଳା ଅତ୍ୟନ୍ତ ଜରୁରୀ। ଏଥିରେ ସରକାରୀ ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଉଦାହରଣ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
୨୦୧୧ରୁ ୨୦୨୩ ମଧ୍ୟରେ ଭାରତ ପ୍ରାୟ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବାରେ ସଫଳ ହୋଇଥିବା କଥା ଉଲ୍ଲେଖ କରି ଏହାକୁ ଜାତୀୟ ଉତ୍ସବ ଭାବେ ପାଳନ କରିବା ଯୋଗ୍ୟ ସଫଳତା ବୋଲି କହିଛନ୍ତି ମୋଦି। ତେବେ ଲୋକଙ୍କୁ ଗରିବୀରୁ ମୁକ୍ତ କରିବା ଯେତିକି ଜରୁରୀ, ସେମାନଙ୍କୁ ପୁଣି ଗରିବୀକୁ ଫେରିବାରୁ ରୋକିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ନିଶା କବଳରୁ ଯୁବପିଢ଼ିଙ୍କୁ ବଞ୍ଚାଇବାକୁ ଭାବପ୍ରବଣ ହେଲେ ମୋଦି
ବୈଠକରେ ନିଶାଦ୍ରବ୍ୟ ସମସ୍ୟା ଓ ଆଭ୍ୟନ୍ତରୀଣ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଦେଶର ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା ନେଇ ଆଲୋଚନା ବେଳେ ଭାବପ୍ରବଣ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ।
ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସରକାରର ସମସ୍ତ ବିଭାଗ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଯେପରି ଦେଶ ନକ୍ସଲବାଦକୁ ମୁକାବିଲା କରିଛି, ସେହିପରି ନିଶା ସମସ୍ୟାକୁ ମଧ୍ୟ ମୂଳରୁ ଶେଷ କରିହେବ ବୋଲି କହିଛନ୍ତି। ଏଥିସହ ନକ୍ସଲବାଦ ପୁଣି ଯେପରି ମୁଣ୍ଡ ନ ଟେକେ, ସେଥିପାଇଁ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ସେପଟେ ସେପ୍ଟେମ୍ବରରେ ଅନୁଷ୍ଠିତ ଚିନ୍ତନ ବୈଠକରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ।