କଡା ସୁରକ୍ଷା ମଧ୍ୟରେ ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ହିଂସା ଯୋଗୁଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । କଡା ସୁରକ୍ଷା ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନମଣ୍ଡଳୀର ୧୧ଟି ବୁଥରେ ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ ।
ମଣିପୁରରେ ଦୁଇଟି ଲୋକସଭା ଆସନ ରହିଥିବା ବେଳେ ଏପ୍ରିଲ ୧୯ ତାରିଖରେ ଆଭ୍ୟନ୍ତରୀଣ ମଣିପୁର ଆସନ ପାଇଁ ଭୋଟିଂ ହୋଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା । ରେକର୍ଡ ସଂଖ୍ୟକ ୬୯.୧୮ ପ୍ରତିଶତ ଭୋଟିଂ ହୋଇଥିଲେ ସୁଦ୍ଧା ବିଷ୍ଣୁପୁରରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାଜ୍ୟର ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ହିଂସାକାଣ୍ଡ ଘଟିବାକୁ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା । ଫଳରେ ନିର୍ବାଚନ କମିଶନ ରବିବାର ୧୧ଟି ବୁଥରେ ସାନି ମତଦାନ ପାଇଁ ତାରିଖ ଘୋଷଣା କରିଥିଲେ । ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସହ ଏହି ଭୋଟିଂ ପ୍ରକ୍ରିୟା ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିଂସା ଯୋଗୁଁ ପୁନଃ ମତଦାନ ଜାରି ରହିଥିବା ୧୧ଟି ବୁଥ ଗୁଡି ହେଉଛି, ଖୋରାଇ ବିଧାନସଭା ନିର୍ବାଚନମଣ୍ଡଳୀର ମୋଇରଙ୍ଗକାମ୍ପୁ ସଜିବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏସ୍ ଇବୋବି ପ୍ରାଥମିକ ବିଦ୍ୟାଳୟ (ଇଷ୍ଟ ୱିଙ୍ଗ), କ୍ଷେତ୍ରିଗାଓଁର ଚାରିଟି ବୁଥ, ଥୋଙ୍ଗଜୁରେ ଗୋଟିଏ, ଉରିପୋକରେ ତିନୋଟି ଏବଂ କନଥୁଜାମର ଗୋଟିଏ ବୁଥ ।
ଅଧିକ ପଢ଼ନ୍ତୁ : ଇତିହାସ ରଚିଲେ ଭାରତର ଡି. ଗୁକେଶ