ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି । ସିବିଆଇ ସୂତ୍ର ଅନୁଯାୟୀ, ନବଜାତ ଶିଶୁମାନଙ୍କୁ କଳା ବଜାରରେ ଦ୍ରବ୍ୟ ଭାବରେ କିଣାଯାଉଥିଲା । ସିବିଆଇ ବର୍ତ୍ତମାନ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ପଚରାଉଚରା କରୁଛି, ଯେଉଁଥିରେ ଶିଶୁ ବିକ୍ରୟ କରୁଥିବା ମହିଳା ଏବଂ କ୍ରେତା ମଧ୍ୟ ଅଛନ୍ତି । ସିବିଆଇ ଅଧିକାରୀ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛନ୍ତି ।
ସବୁଠୁ ପରିତାପର ବିଷୟ ହେଉଛି ଏହି ୮ ନବଜାତକଙ୍କ ମଧ୍ୟରେ ଏକ ଶିଶୁ ମାତ୍ର ୧୫ ଦିନର ହୋଇଥିବା ବେଳେ ଅନ୍ୟଜଣେ ମାତ୍ର ୩୬ଘଣ୍ଟା ତଳେ ଜନ୍ମ ଗ୍ରହଣ କରିଥିଲା । ତେବେ ଏସବୁ ଶିଶୁଙ୍କୁ ୫/୬ ଲକ୍ଷ ମୂଲ୍ୟରେ ଅନ୍ୟତ୍ର ବିକ୍ରି କରିଦେବା ପାଇଁ ଯୋଜନା କରାଯାଇଥିଲା । ସିବିଆଇ ଅଧିକାରୀମାନେ ଏହି ପିଲାମାନଙ୍କୁ ଉଦ୍ଧାର କରିବା ସହ ନିଜ କଷ୍ଟଡିକୁ ନେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ବ୍ୟବସ୍ଥା ଗ୍ରହଣ କରିଛି । ସିବିଆଇ ଏବେ ପିଲାଚୋରି ଅଭିଯୋଗ ଆଧାରିତ ପଞ୍ଜିକୃତ ହୋଇଥିବା ମାମଲାକୁ ଅନୁଧ୍ୟାନ କରୁଛି ଏବଂ ନବଜାତକଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି ।
ଦିଲ୍ଲୀ ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟାନ ଅନୁସାରେ ସେମାନଙ୍କ ପାଇଁ କାମ କରୁଥିବା ଲୋକ କେଉଁ କେଉଁ ଅଞ୍ଚଳରେ ସକ୍ରିୟ ଅଛନ୍ତି, ସେମାନେ କିପରି ଏବଂ କେଉଁ ରାଜ୍ୟ ପର୍ଯ୍ୟନ୍ତ ନିଜ ନେଟୱାର୍କକୁ ସମ୍ପ୍ରସାରିତ କରିଛନ୍ତି ସେନେଇ ଜେରା କରାଯାଉଛି । ସୋସିଆଲ ମିଡିଆ ଯୋଗେ ନିସନ୍ତାନ ଦମ୍ପତ୍ତିଙ୍କ ସହ ଯୋଗାଯୋଗ କରି ପ୍ରତି ନବଜାତକ ପିଛା ୫/୬ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରିବାର ଏମାନେ ଯୋଜନା କରିଥିବା ସ୍ୱୀକାର କରିସାରିଛନ୍ତି । ଏମାନେ ମୁଖ୍ୟତଃ ହସ୍ପିଟାଲରେ ଜନ୍ମଗ୍ରହଣ କରୁଥିବା ନବଜାତକଙ୍କୁ ସେହିଠାରୁ ହିଁ ଚୋରି କରିନେଉଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏମାନେ ପ୍ରାୟ ୧୦ରୁ ୧୨ଟି ଶିଶୁଙ୍କୁ ଗତ କିଛି ମାସ ମଧ୍ୟରେ ବିକ୍ରି କରିସାରିଥିବା ମଧ୍ୟ ସ୍ୱୀକାର କରିଛନ୍ତି । ପୋଲିସ ଏବେ ଏମାନଙ୍କ ଠାରୁ ସେସବୁ ବ୍ୟକ୍ତିବିଶେଷଙ୍କ ଠିକଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା ଚଳାଇଛି ।
ଅଧିକ ପଢ଼ନ୍ତୁ : ଯେଉଁଠାରେ ଅଗ୍ନିଶମ କର୍ମଚାରୀ ଯାଇ ପାରିବେ ନାହିଁ ସେହି ସ୍ଥାନକୁ ଯିବ ରୋବଟ୍