ଓଡ଼ିଶାରେ ବିପର୍ଯ୍ୟୟ ସମୟରେ ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ଓଡ଼ିଶାର ଅଗ୍ନିଶମ ବିଭାଗ ଗୁରୁତ୍ୱ ପୂର୍ଣ୍ଣ ଭୂମୀକା ଗ୍ରହଣ କରିଥାଏ । ତେଣୁ ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଆପଣାଉଛି ଯାହା ସେମାନଙ୍କ ପାଇଁ ଉଦ୍ଧାର କାର୍ଯ୍ୟରେ ବେଶ୍ ସହାୟକ ହେବ । କିଛି ଦିନ ତଳେ, ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଥିଲା ବେଳେ ଏବେ ରୋବଟ୍ ଏବଂ ଉଚ୍ଚ କ୍ଷମତାସଂପନ୍ନ ସର୍ଚ୍ଚ କ୍ୟାମେରା ସାମିଲ କରିବାକୁ ନିଷ୍ପତ୍ତି ହୋଇଛି । ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ଅଗ୍ନିଶମ ବିଭାଗ ଆଉ ଦୁଇ ପାଦ ଆଗକୁ ବଢ଼ାଇଛି ।
ଭୟଙ୍କର ଅଗ୍ନିକାଣ୍ଡ ସ୍ଥାନ ଏବଂ ବିପଦସଂଙ୍କୁଳ ଜାଗାକୁ ଅଗ୍ନିଶମବାହିନୀ ଯାଇପାରନ୍ତି ନାହିଁ ଯାହାଫଳରେ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଥାଏ । ତେଣୁ ଏଭଳି ବିପଦମୟ ସ୍ଥାନକୁ ରିମୋଟ୍ କଣ୍ଟ୍ରୋଲ ରୋବୋଟ୍ କୁ ପଠାଯିବ । ଏହି ରୋବୋଟ୍ ତେଲ ଟ୍ୟାଙ୍କର ବିସ୍ଫୋରଣ, ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅନ୍ୟାନ୍ୟ କେମିକାଲ ବିସ୍ଫୋରଣ ସ୍ଥଳକୁ ଯିବ । ସେଠାରେ ନିଆଁ ଲିଭାଇବା ସହ ଲୋକଙ୍କୁ ଉଦ୍ଧାର କରି ଆଣିବ । ନିଆଁର ପ୍ରଭାବରେ ରୋବୋଟ୍ର କିଛି ବି କ୍ଷତି ହେବନି । ସେହିପରି ଭୁଶୁଡ଼ିଥିବା ପୋଲ, ବିଲ୍ଡିଂ ଏବଂ ଭୂମିକମ୍ପ ସ୍ଥାନକୁ ଯାଇ ମଧ୍ୟ ଲୋକଙ୍କୁ ଉଦ୍ଧାର କରିବ ଏହି ରେବୋଟ୍ । ଏହି ରିମୋଟ୍ କଣ୍ଟ୍ରୋଲ ରୋବୋଟ୍ ବିଦେଶରୁ ଅଣାଯାଇଛି ।
ସେହିପରି ପ୍ରଥମଥର କରି ଓଡ଼ିଶା ଅଗ୍ନିଶମରେ ସାମିଲ ହୋଇଛି ସର୍ଚ୍ଚ କ୍ୟାମେରା । ଏହି କ୍ୟାମେରା ପାଣିରେ ବୁଡ଼ିଯାଇଥିବା ବ୍ୟକ୍ତି କିମ୍ବା ପଦାର୍ଥର ଠାବ ସହଜରେ କରିପାରିବ । କୌଣସି ସ୍ଥାନରେ ଡଙ୍ଗାବୁଡ଼ି କିମ୍ବା ଅନ୍ୟାନ୍ୟ ଅଘଟଣ ଘଟିଲେ, ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବା ପାଇଁ ନାକେଦମ୍ ହୁଅନ୍ତି । ଅଗ୍ନିଶମ କର୍ମଚାରୀ ପାଣିରେ ବୁଡ଼ି ଖୋଜିବା ପରେ ବହୁ ବିଳମ୍ବ ହୋଇଯାଇଥାଏ । ସେତବେଳକୁ ବୁଡି ଯାଇଥିବା ଲୋକର ମୃତ୍ୟୁ ଘଟିଥାଏ । କିନ୍ତୁ ଏହି ସର୍ଚ୍ଚ କ୍ୟାମେରା ଖୁବ୍ କମ୍ ସମୟରେ ପାଣିରେ ବୁଡ଼ି ଯାଇଥିବା ପଦାର୍ଥ ଏବଂ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିବ । ଆହୁରି ମଧ୍ୟ କେତେ ଫୁଟ୍ ତଳେ ରହିଛି, ଏହାର ଅବସ୍ଥିତି ମଧ୍ୟ ସୂଚନା ଦେଇପାରିବ । ଏହି ଦୁଇଟି ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଏପ୍ରିଲ ୧୪ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ଅଗ୍ନିଶମ ପ୍ରତିଷ୍ଠା ସପ୍ତାହରେ ଏହା ସର୍ବସାଧାରଣରେ ପ୍ରଦର୍ଶିତ କରାଯିବ ।
ଅଧିକ ପଢ଼ନ୍ତୁ : ସୋଆରେ ଆରମ୍ଭ ହେଲା ଦୁଇ ଦିନିଆ ଇ-ସମିଟ