ସୋଆ ଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ଇ-ସମିଟ। ସୋଆ ଅନ୍ତର୍ଗତ ଅଟଳ ଇନକ୍ୟୁବେସନ୍ ସେଂଟର ସୋଆ ଫାଉଣ୍ଡେସନ୍ ଓ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନର ମିଳିତ ଆନୁକୂଲ୍ୟରେ ଏହି ସମିଟର ଆୟୋଜନ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାର୍ଟଅପ୍ ପ୍ରତି ଅଧିକ ଆଗ୍ରହୀ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର egj ଏଗ୍ଜିକ୍ୟୁଟିଭ ଚେୟାରମ୍ୟାନ୍ ଡକ୍ଟର ଓଙ୍କାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବପୀଢ଼ି ଆତ୍ମନିର୍ଭରଶୀଳ ହେବା ସହ ନିଯୁକ୍ତି ପ୍ରଦାନକାରୀ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ।
ଭାରତ ବର୍ତମାନ ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି। ତେଣୁ ଏ ନେଇ ଡକ୍ଟର ରାୟ କହିଥିଲେ ଯେ ଓଡ଼ିଶାରେ ୧୯୪୦ଟି ସ୍ୱିକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଥିବା ବେଳେ କୃଷି କ୍ଷେତ୍ରରେ ୧୫୧, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ କ୍ଷେତ୍ରରେ ୨୫, ଅଟୋମୋଟିଭ୍ରେ ୨୭, ଟେଲିକମ୍ୟୁନିକେସନ୍ ଆଣ୍ଡ ନେଟ୍ୱାର୍କିଂରେ ୧୩, ଶିକ୍ଷା କ୍ଷେତ୍ରରେ ୧୩୩, ଓ ରିନ୍ୟୁଏବଲ୍ ଏନର୍ଜିରେ ୨୨ଟି ଷ୍ଟାର୍ଟଅପ୍ ରହିଛି।
ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଥମ ଥର ପାଇଁ ଏଭଳି ଇ-ସମିଟ ହେଉଥିବା କହିବା ସହ ଅଟଳ ଇକ୍ୟୁବେସନ୍ ସେଣ୍ଟର ଖୁବ୍ ଶୀଘ୍ର ତା’ର କାୟା ବିସ୍ତାର କରିବ ବୋଲି ପ୍ରକାଶ କରିଥିଲେ। ନିକଟରେ ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ସୋଆର ଦୁଇଟି ପ୍ରୋଜେକ୍ଟକୁ ପ୍ରଶଂସା କରାଯାଇଥବା ବେଳେ ସେଥି ମଧ୍ୟରୁ ଗୋଟିଏ କୃଷି ଏବଂ ଅନ୍ୟଟି ଡେଣ୍ଟାଲ ସାଇନ୍ସେସ୍ ବିଭାଗ ରହିଥିଲା। ଏପରିକି ଏହି ଅବସରରେ କେନ୍ସ ସେମିକନ୍ର ସିଇଓ ଶ୍ରୀ ରଘୁ ପାନିକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟାର୍ଟଅପ୍ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ତଥ୍ୟ ପ୍ରଦାନ କରିଥିଲେ।