ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଚଳିତ ବର୍ଷର ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଏଲପିସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚାଷୀ ପ୍ରତିନିଧି,ଚାଷୀ, ଦିଆରସିଏସ , ସିଏସଓ , ମିଲର ପ୍ରତିନିଧି, ବ୍ୟାଙ୍କ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ଆଜିର ଏହି ଡିଏଲପିସି ବୈଠକରେ ଆଲୋଚନା କରାଯାଇ ଆସନ୍ତା ମେ ମାସର ୧୦ ତାରିଖରେ ଚଳିତ ବର୍ଷର ରବି ଋତୁର ଧାନ,ଚାଷୀ ମାନଙ୍କ ଠାରୁ ସଂଗ୍ରହ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯିବାର ନିଷ୍ପତି ନିଆଯାଇଛି।
ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ ଚଳିତ ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ସମୁଦାୟ ୬୧ ଟି ମଣ୍ଡି ଖୋଲାଯିବା ସହ ମଣ୍ଡି ପାଇଁ ମୋଟ ୩୦ଟି ମିଲର ସେଠାରେ ନିୟୋଜିତ ରହିବେ। ତାହାସହ ଧାନର ସଂଗ୍ରହ ସମୟରେ ସବୁ ବର୍ଷ ଚାଷୀ ମାନଙ୍କ ପକ୍ଷରୁ କଟନୀ ଛଟଣିର ସମସ୍ୟା ରହିଥାଏ କିନ୍ତୁ ଏଥର କଟନୀ ଛଟଣୀ ଉପରେ ବିଶେଷ ନଜର ରଖାଯାଇଛି। ସେଥିପାଇଁ ଏକ ସବ କମିଟି ଗଠନ ମଧ୍ୟ କରାଯିବ। ସେହି ସବ କମିଟି କଟନୀ ଛଟଣୀର ସମୀକ୍ଷା କରିବେ। ତାହାସହ କିଛି ସମସ୍ୟା ନଜରକୁ ଆସିଲେ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଟୋକନ ସମସ୍ୟା ପ୍ରସଙ୍ଗ ନେଇ ଜିଲ୍ଲାପାଳ କହିଥିଲେ ଯେ ସମସ୍ତ ଟୋକନର ଅବଧି ୩୦ଦିନ ରହିଥାଏ। ଯଦିବି ଟୋକନର କିଛି ସମସ୍ୟା ହେବ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ନିଜେ ସେହି ସମସ୍ୟାର ସମାଧାନ କରିବେ।