ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡ଼ ସଫଳତା । ସ୍ଥାନୀୟ ଗୋରୁ ମାର୍କେଟ ପାଖରେ ଥିବା କୃଷକ ବଜାର ଭିତରେ ଏକ ବୋଲେରୋରେ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ମାଡ଼ିବସିଥିଲା ପୋଲିସ ଆଉ ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ବରଗଡ଼ କୃଷକ ବଜାର ଭିତରେ ଏକ ବୋଲେରୋ ବେଆଇନ ଭାବେ ବିଦେଶୀ ମଦ ଚାଲାଣ କରୁଥିବା ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା । ଖବର ମିଳିବା ପରେ ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ଟାଉନ ପୋଲିସ କାଳ ବିଳମ୍ବ ନକରି ଏକ ଟିମ ଗଠନ କରି ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଯାଞ୍ଚ କରିଥିଲେ । ତେବେ ଉକ୍ତ ଗାଡ଼ିରୁ ୪୩ କାର୍ଟୁନ ବିଦେଶୀ ମଦ ଠାବ କରିଥିଲା ପୋଲିସ । ଏହା ସହିତ ଉକ୍ତ ବୋଲେରୋ, ଏକ ରେଫ୍ରିଜରେଟର, ଏକ ମୋଟର ସାଇକଲ ଜବତ କରାଯାଇଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ବରଗଡ ସଦର ଥାନା ଅନ୍ତର୍ଗତ ନୂଆଗଡର ଘନାଶ୍ୟାମ ସାହୁ, ବେଦବ୍ୟାସ ସାହୁ ଏବଂ ରେଲୱେ ଷ୍ଟେସନ ପଡା ର ଦିଲ୍ଲୀପ କୁମାର ବୋଲି ସୂଚନା ଦେଇଛି ବରଗଡ଼ ଏସଡିପିଓ ।
ବର୍ତ୍ତମାନ ଦେଶରେ ନିର୍ବାଚନ ମହଲ ଚାଲିଥିବା ବେଳେ ବେଆଇନ ଟଙ୍କା ଏବଂ ବହୁ ପରିମାଣରେ ମଦ ଚାଲାଣ ହେଉଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ଅଞ୍ଚଳରେ ଚେକିଂ ଏବଂ ବ୍ଲକିଂକୁ ଜୋରଦାର କରାଯାଇଛି ।
ଅଧିକ ପଢନ୍ତୁ : ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି