ସାମାନ୍ୟ ବଚସାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀ ପାଲଟିଗଲା ସଇତାନ ଆଉ ସ୍ତ୍ରୀକୁ ମାରି କରିଦେଲା ଖଣ୍ଡ ଖଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା ପରେ ଶରୀରରୁ ଖଣ୍ଡ ଖଣ୍ଡ କରି ଋଷିକୂଲ୍ୟା ନଦୀକୁ ଫୋପାଡି ଦେଲା ସ୍ୱାମୀ । ରାଗରେ ଜର୍ଜରିତ ହୋଇ ସ୍ତ୍ରୀର ଶରୀରରୁ ହାତ, ଗୋଡ଼, ଜଙ୍ଘ, ବେକକୁ ଅଲଗା କରି ଦେଇଥିଲା ପତ୍ନୀହନ୍ତା । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ । ମୃତ ମହିଳାଙ୍କ ନାମ ବୁଲି ମୂଳି ବୋଲି ଜଣାପଡିଛି ।
ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ୱାମୀ ନାରାୟଣ ମୂଳି ପୋଲିସ ସମ୍ମୁଖରେ ହତ୍ୟାକାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିଛି । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଋଷିକୂଲ୍ୟା ନଦୀରୁ ମହିଳାଙ୍କ ମୃତଦେହ ଖୋଜୁଛନ୍ତି । ସୂଚନା ମୁତାବକ ଦୁଇ ବର୍ଷର ପ୍ରେମ ସମ୍ପର୍କ ପରେ ବୁଲି ଓ ନାରାୟଣ ବିବାହ କରିବାକୁ ସ୍ଥିର କଲେ ଆଉ ପରିବାରର ସହମତି କ୍ରମେ ଗତ ତିନି ମାସ ତଳେ ଗାଁ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା । ବୁଲିଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥି କରିବାକୁ କଥା ଦେଇଥିଲେ ନାରାୟଣ । କିଛି ଦିନ ତଳେ ବୁଲି ତାଙ୍କ ବାପ ଘରକୁ ବୁଲିବାକୁ ଯାଇଥିଲେ । ୨ରୁ ୩ ଦିନ ତଳେ ନାରାୟଣ ଶ୍ୱଶୁର ଘରକୁ ଯାଇ ଫେରିବା ବେଳେ ପତ୍ନୀ ବୁଲିଙ୍କୁ ସାଥୀରେ ନେଇ ଆସିଥିଲେ । ଏହାପରେ ଶାଶୁ ଘରେ ଘର କାମରେ ବ୍ୟସ୍ତ ହୋଇପଡ଼ିଥିଲେ ବୁଲି ଯାହାଫଳରେ ସେ ନାରାୟଣଙ୍କୁ ସମୟ ଦାୟୀ ପାରିନଥିଲେ । ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ନାରାୟଣ ଉତ୍ୟକ୍ତ ହୋଇ ଜଘନ୍ୟ କାଣ୍ଡ ଘଟାଇ ଥିଲା ।
ଅଧିକ ପଢ଼ନ୍ତୁ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର