ସମ୍ପର୍କରେ ଲାଗିଲା ରକ୍ତଛିଟା । ରାଗ ଆଗରେ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ପାରିବାରିକ ବିବାଦକୁ ନେଇ ବୀଭତ୍ସ ହତ୍ୟା । ଘରୋଇ ବିବାଦରୁ ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ଦୁଇ ପୁତୁରା । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୋଲିସ ଦୁଇ ପୁତୁରାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, କପ୍ତିପଦା ଥାନା ଅନ୍ତର୍ଗତ କୋଲୋନୀ ସାହି ଗ୍ରାମର ରବୀନ୍ଦ୍ର ତିରିଆ ଓ ତାଙ୍କ ଦୁଇ ପୁତୁରାଙ୍କ ସହିତ ଦୀର୍ଘ ଦିନ ଧରି ପାରିବାରିକ ବିବାଦ ଲାଗି ରହିଥିଲା । ତେବେ ରବିବାର ସନ୍ଧ୍ୟା ସମୟରେ ପାରିବାରିକ ବିବାଦକୁ ନେଇ ରବୀନ୍ଦ୍ର ଓ ତାଙ୍କ ଦୁଇ ପୁତୁରା ରାଜେନ୍ଦ୍ର ତିରିୟା ଓ କାହ୍ନୁ ଚରଣ ତିରିୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଉତ୍ୟକ୍ତ ହୋଇ ଦୁଇ ପୁତୁରା ଏକ ଠେଙ୍ଗା ଓ କଟୁରୀ ସାହାଯ୍ୟରେ ନିଜ ଦାଦା ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କ ପ୍ରାଣ ଚାଲିଯାଇଥିଲା ।
ତେବେ ପଡୋଶୀ ଲୋକ ଏହା ଜାଣି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେନ୍ଦ୍ର ତିରିୟା ଓ କାହ୍ନୁଚରଣ ତିରିଆଙ୍କୁ ଗିରଫ କରିଛି । ଏଥି ସହିତ ହତ୍ୟାରେ ବ୍ୟବହୃତ କଟୁରୀ ଏବଂ ଠେଙ୍ଗାକୁ ଜବତ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ଧର୍ମଗଡ କାଶିବାହଲରୁ ଧରାପଡ଼ିଲା ଫେରାର କଏଦୀ