ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି । ରମେଶ ପାଢ଼ୀ ନାମକ ଜଣେ ବ୍ୟବସାୟୀ ୨୦୧୯ ମସିହାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରି କରାଇବାକୁ କହି ଟଙ୍କା ନେଇଥିଲେ । ଜଣକ ପିଛା ୩ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ ବଡ଼ ସରକାରୀ ଚାକିରି ଦେବା ଲୋଭ ଦେଖାଇଥିଲେ । ସୋର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନା ଅନୁଯାୟୀ ସୋର ଥାନା ମାଣତ୍ରୀ ପଞ୍ଚାୟତ ମାଣତ୍ରୀ ଗ୍ରାମର ରମେଶ ଚନ୍ଦ୍ର ପାଢ଼ୀ ଗତ ୨୦୧୯ରେ ସୋର ଥାନା ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କର ୨୨ ଜଣ ସାଥୀଙ୍କୁ ବ୍ୟାଙ୍କରେ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୩ଲକ୍ଷ ଲେଖାଏଁ ଟଙ୍କା ନେଇଥିଲେ । କିଛିଦିନ ପରେ ଚାକିରୀ ମିଳିବାର କୌଣସି ସୂଚନା ନ ମିଳିବାରୁ ସଞ୍ଜୟ ଓ ତାଙ୍କର ସାଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସି ନ ଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇ ସଞ୍ଜୟଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନା ଦ୍ୱାରସ୍ଥ ହୋଇଥିଲେ ।
ରମେଶ ପୋଲିସ ନାଁ ରେ ମଧ୍ୟ କିଛି ଲୋକଙ୍କୁ ଠକିଛି । ରମେଶ ପାଢ଼ୀଙ୍କ ନାଁରେ ସୋର ଓ କେନ୍ଦୁଝର ଥାନାରେ ପାଖାପାଖି ୧୦ଟି ମାମଲା ରହିଛି । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଠକିଥିବା ଏହି ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ବୋଲି ପୋଲିସ କହିଛି । କାହାକୁ ପେଟ୍ରୋଲ ପମ୍ପ କରାଇଦେବା ତ କାହାକୁ କିରୋସିନ ଡିଲରସିପ୍ ଦେବା ଅବା ମଦ କାଉଣ୍ଟର ଖୋଲାଇଦେବା ଓ ଜମି ଦେବାକୁ କହି ଟଙ୍କା ଆଦାୟ କରିଥିଲେ । କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ନକଲି ଚିଠି ଲୋକଙ୍କୁ ଦେଖାଇ ମନରେ ଅଭିଯୁକ୍ତ ବିଶ୍ୱାସ ଜନ୍ମାଉଥିଲେ । ହାଇକୋର୍ଟର ନକଲି ଅର୍ଡର ଦେଖାଇ ଲୋକଙ୍କର ବିଶ୍ୱାସଭାଜନ ହେବାକୁ ସେ ଚେଷ୍ଟା କରୁଥିଲେ ।
ତେବେ ପୋଲିସ ବିଭିନ୍ନ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଆଉ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଭଦ୍ରକ ଅଞ୍ଚଳରୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟଚାଲାଣ କରିଛି ।
ଅଧିକ ପଢ଼ନ୍ତୁ : ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା