କାଠ ଫାଳିଆରେ ପିଟି ମାଆର ଜୀବନ ନେଲା ଝିଅ। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ମଝିପାଳ ଗାଁରେ ଘଟିଛି।ମାନସିକ ବିକାରଗ୍ରସ୍ତ ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ମୃତ ବୃଦ୍ଧା ମହିଳା ଜଣଙ୍କ ହେଉଛନ୍ତି ମଝିପାଳ ଗ୍ରାମର ସ୍ବର୍ଗତ ବିଭୁତି ଭୁଷଣ ଦାଶଙ୍କ ସ୍ତ୍ରୀ ଦୁର୍ଗାବତୀ ଦାଶ। ଉଭୟ ମାଆ ଦୁର୍ଗାବତୀ ଓ ବିବାହିତ ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ଦାଶ ଏକାଠି ଘରେ ରୁହନ୍ତି । ୨୦୦୭ ମସିହାରୁ ଝିଅ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶାଶୁଘର ଛାଡି ମାଆ ପାଖରେ ଆସିରହୁଥିଲେ । ଦୁର୍ଗାବତୀ ସଏକମାତ୍ର ପୁଅ ଆଲୋକ ଦାଶ ନିଜର ପରିବାର ନେଇ ତାଳଚେରରେ ରୁହନ୍ତି । ପୁଅ ଆଲୋକ ମାଆକୁ ନିଜ ପାଖକୁ ନେବାକୁ ଚାହିଁଥିଲେ ବି ମାଆ ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡି ପୁଅ ପାଖକୁ ଯାଉନଥିଲେ । ତେବେ ମାଆ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ ଯୋଗେ କଥାବାର୍ତ୍ତା ହୁଅନ୍ତି । କିନ୍ତୁ ଶନିବାର ସକାଳେ ମାଆ ଦୁର୍ଗାବତୀଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା । ଯାହାକୁ ନେଇ ପୁଅ ଆଲୋକର ସନ୍ଦେହ ହେବାରୁ ପାଖ ପଡୋଶୀଙ୍କୁ ଫୋନ୍ କରି ମାଆ କଥା ପଚାରି ଥିଲେ ହେଲେ ସେତେବେଳକୁ ଭଉଣୀ ମାଡରେ ମାଆ ଚାଲିଯାଇଥିଲେ। ତେବେ ଘଟଣା ସମ୍ପର୍କରେ ଭୁବନ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଛନ୍ତି । ପୋଲିସ ମାନସିକ ବିକାରଗ୍ରସ୍ତ ଝିଅକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।