କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହା ପରେ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଉଦ୍ବୋଧନ ଦେଇ ଗଡ଼କରୀ କହିଛନ୍ତି,ଗାଁର କୃଷକ, ଶ୍ରମିକଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରୁଛୁ । ଆଗାମୀ ଦିନରେ ସବୁ ପ୍ରକାର ଯାନ ହାଇଡ୍ରୋଜେନରେ ଚାଲିବ। ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି । ଭାଜପାର ସିଦ୍ଧାନ୍ତ- ଯାହା କହିବୁ, ତାକୁ କରି ଦେଖାଇବୁ।
ଗଡ଼କରୀ ଆହୁରି କହିଛନ୍ତି, ଧାମରା ପୋର୍ଟ କନେକ୍ଟିଭିଟି, ପୁରୀ-ରାମେଶ୍ବର ୪ ଲେନ ରାସ୍ତା ହେବ । କଟକରୁ ପାରାଦୀପ ୪ ଲେନ ୨୩୭୦ କୋଟିରେ ନିର୍ମାଣ ହେବ । ୨ ଶହ କୋଟିରେ ପାରାଦୀପରେ ଏୟାରପୋର୍ଟ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ରାୟପୁରରୁ ବିଶାଖାପାଟଣା ୬ ଲେନ ରାସ୍ତା ନିର୍ମାଣ ହେବ । ସେଥିରୁ ୨୪୦ କିଲୋମିଟର ଓଡ଼ିଶାରେ, ଡିସେମ୍ବର ସୁଦ୍ଧା କାମ ସରିବ। ରାଞ୍ଚିରୁ ସମ୍ବଲପୁର ୪ ଲେନ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ହେବ । ଭୁବନେଶ୍ୱର ରିଂ ରୋଡ କାମ ଅକ୍ଟୋବରରୁ ଆରମ୍ଭ ହେବ । ସେହିପରି ସମ୍ବଲପୁରରେ ୩୫ କିମି ୪ ଲେନ ବିଶିଷ୍ଟ ରିଂ ରୋଡ ହେବ । ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କରିଛି । ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ । ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ଏଥିସହ ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଗଡ଼କରୀ ଘୋଷଣା କରିଛନ୍ତି । ଗଡ଼କରୀ କହିଛନ୍ତି, ଡିପିଆର୍ ପ୍ରସ୍ତୁତ ହୋଇଯାଇଛି, ନିର୍ବାଚନ ପରେ କାମ ଆରମ୍ଭ ହେବ ।
ଅଧିକ ପଢନ୍ତୁ : ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ ଅନୁକୂଳ