କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ବୁଧବାର ଖାରଜ କରିଛନ୍ତି । ଏଥିସହ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭାବେ ଆସନ୍ତା ୩ ସପ୍ତାହ ମଧ୍ୟରେ ହାଇକୋର୍ଟ ବାର୍ ଆସୋସିଏଶନର ଓକିଲ କଲ୍ୟାଣ ପାଣ୍ଠିରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୯ ମସିହାରେ ରାଜ୍ୟସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଆବେଦନକାରୀ ଭାଗ୍ୟଧର ବେହେରା ହାଇକୋର୍ଟରେ ମାମଲା ଦାୟର କରିଥିଲେ ।
ସୂଚନାନୁସାରେ, ୨୦୧୯ ରାଜ୍ୟ ସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ନିଜ ନାମାଙ୍କନପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଭାଗ୍ୟଧର ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ । ନାମାଙ୍କନ ସମୟରେ ଅଶ୍ୱିନୀ ସରକାରଙ୍କ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ । ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା । ସରକାରଙ୍କ ଅଧୀନରେ ନୁହେଁ, ବରଂ ଅଶ୍ୱିନୀ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ନାମାଙ୍କନପତ୍ର ଦାଖଲ ବେଳକୁ ସେ ଇସ୍ତଫା ଦେଇସାରିଥିଲେ । ତାଙ୍କ ଇସ୍ତଫା ନେଇ ରେଜିଷ୍ଟ୍ରର ଅଫ କମ୍ପାନୀଜ୍କୁ ମଧ୍ୟ ଅବଗତ କରାଯାଇଥିଲା ବୋଲି ଅଶ୍ୱିନୀଙ୍କ ପକ୍ଷରୁ ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଆଉ ଏ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା । ତେବେ ୨୦୧୯ ରାଜ୍ୟ ସଭା ନିର୍ବାଚନ ଶେଷ ହୋଇ ୨୦୨୪ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ବୋଲି କୋର୍ଟ ଅନୁଭବ କରିଥିଲେ । ସେଥିପାଇଁ ଏହି ଆବେଦନକୁ ଖାରଜ କରିବା ସହ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।
ଅଧିକ ପଢ଼ନ୍ତୁ : ମଞ୍ଚରେ ଅଚେତ ହେଲେ ନୀତିନ ଗଡ଼କରୀ