ମହାରାଷ୍ଟ୍ର ୟବତମାଲରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଭାଷଣ ଦେଉଥିବା ସମୟରେ ଅଚାନକ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଗଡ଼କରୀ ୟବତମାଲର ପୁସଦରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଏଭଳି ଅଘଟଣ ଘଟିଥିଲା । ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ତାଙ୍କୁ ଟେକି ନେଇ ତୁରନ୍ତ ପ୍ରାଥମିକ ଚିକିତ୍ସାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପ୍ରବଳ ଗରମ ଯୋଗୁ ଏଭଳି ହୋଇଥିବା କୁହାଯାଉଛି ।
ଗଡ଼କରୀ ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ନାଗପୁର ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଏଠାରେ ଗଡ଼କରୀ କଂଗ୍ରେସ ପ୍ରାର୍ଥୀ ବିକାଶ ଠାକରେଙ୍କ ସହିତ ଲଢୁଛନ୍ତି । ଗଡ଼କରୀ ଏହି ଆସନରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ସେ ନିଜେ ‘ଏକ୍ସ’ ରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଗଡକରୀ ପୋଷ୍ଟ ରେ ଲେଖିଛନ୍ତି ଯେ, ‘ଅଧିକ ଉତ୍ତାପ ହେତୁ ମହାରାଷ୍ଟ୍ରର ରାଲିରେ ମୁଁ ଅସୁସ୍ଥ ଅନୁଭବ କଲି । କିନ୍ତୁ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ପରବର୍ତ୍ତୀ ବୈଠକରେ ଯୋଗଦେବା ପାଇଁ ଭାରୁଦ ଯାଉଛି । ଆପଣଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ଧନ୍ୟବାଦ’ ।
ଅଧିକ ପଢ଼ନ୍ତୁ : କିଭଳି କାମ କରିବ ଇଭିଏମ୍ ଓ ଭିଭିପାଟ୍ ?