ଲୋକସଭା ନିର୍ବାଚନର ପ୍ରଥମ ପ୍ରର୍ଯ୍ୟାୟ ଭୋଟ୍ ସରିଛି । ତେବେ ନିର୍ବାଚନରେ ଭୋଟ ଦେବା ପାଇଁ ବ୍ୟବହୃତ ହୋଉଥିବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଓ ଭିଭିପାଟ୍ ସ୍ଲିପ୍ ସମ୍ବନ୍ଧରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଏହାରି ଭିତରେ ଇଭିଏମ୍ ଓ ଭିଭିପାଟ୍ କିଭଳି କାମ କରିବ, ତାହା ଜାଣିବା ପାଇଁ ନିର୍ବାଚନ କମିଶନରଙ୍କୁ ସୁପ୍ରିମକୋର୍ଟ ଡାକିଛନ୍ତି । ଆଜି ଅପରାହ୍ନ ୨ଟାରେ ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।
ବିଶେଷକରି ବିଚାରପତିମାନେ ଇଭିଏମରେ ସ୍ଥାପିତ ମାଇକ୍ରୋ କଣ୍ଟ୍ରୋଲର କଣ୍ଟ୍ରୋଲିଂ ପ୍ରକ୍ରିୟା ବିଷୟରେ ବୁଝିବେ । ଏହା ବ୍ୟତୀତ ଜଜ୍ ଇଭିଏମ୍ ଏବଂ ଭିଭିପାଟ୍ ସୁରକ୍ଷା ସହ ଜଡିତ କିଛି ପ୍ରଶ୍ନ ମଧ୍ୟ ପଚାରିପାରନ୍ତି । ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟ୍ ସହିତ ଭିଭିପାଟ୍ ସ୍ଲିପ୍କୁ ମିଶାଇବା ପାଇଁ ସୁପ୍ରିମକୋର୍ଟ ଆବେଦନ ହୋଇଥିଲା । ଦୁଇ ଦିନି ଧରି ଏହି ଆବେଦନର ଶୁଣାଣି ଚାଲିଥିଲା । ଏହାପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଏକ ବେଞ୍ଚ ଏପ୍ରିଲ ୧୮ରେ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇବେ ।
ଏହାପୂର୍ବରୁ ଏପ୍ରିଲ ୧ ତାରିଖରେ ନାଗରିକ ଅଧିକାର କର୍ମୀ ଅରୁଣ କୁମାର ଅଗ୍ରୱାଲଙ୍କ ଆବେଦନ ଉପରେ କୋର୍ଟ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ରରୁ ଜବାବ ମାଗିଥିଲେ । ଏହି ଆବେଦନରେ ନିର୍ବାଚନରେ ସମସ୍ତ ଭିଭିପାଟ ସ୍ଲିପ୍ ଗଣିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ମନୋନୀତ କେବଳ ପାଞ୍ଚଟି ଇଭିଏମ୍ରୁ ସ୍ଲିପ୍ଗୁଡ଼ିକ ମେଳ ଖାଉଛି ।
ଅଧିକ ପଢ଼ନ୍ତୁ : ରେଳ ବିଭାଗର ବଡ଼ ଘୋଷଣା