ଶନିବାର ସଂଧ୍ୟାରେ ଜାମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ ବଡ ଧରଣର ହମଲା କରିଥିଲେ । ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ବାୟୁସେନାର ୨ଟି ଗାଡି ଉପରେ ଆକ୍ରମଣ କରି ଗ୍ରେନେଡ ଓ ଗୁଳିମାଡ କରିବାରୁ ଜଣେ ଯବାନ ପ୍ରାଣ ହରାଇଥିଲେ ଏବଂ ପାଞ୍ଚ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଆହତ ସମସ୍ତ ଯବାନଙ୍କର ଚିକିତ୍ସା ପାଇଁ ଉଧମପୁରର କମାଣ୍ଡ ହସ୍ପିଟାଲକୁ ପଠାଯାଇଥିବା ବେଳେ ସେଠାରେ ୪ ଜଣ ଯବନାଙ୍କ ଅବସ୍ଥା ଗୁରୁତର ହୋଇପଡିଛି ।
ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସଂଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ ରେ ସୁରନକୋଟ ଥାନା ଅନ୍ତର୍ଗତ ସନାଇର ବକେରବାଲ ଅଞ୍ଚଳରେ ଜରୌଲିରୁ ଶାଷ୍ଟାର ଅଭିମୁଖେ ଯାଉଥିବା ବେଳେ ବାୟୁସେନାର ଏହି ଗାଡ଼ି ଉପରେ ଆକ୍ରମଣ ହୋଇଥିଲା।ହମଲା ସମ୍ପର୍କରେ ଖବର ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇ ଯାଇଛି। ଏବେ ସେଠାରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି । ଏବଂ ଘଟଣାସ୍ଥଳରେ ଇଣ୍ଡିଆନ୍ ଏୟାରଫୋର୍ସର ଗରୁଡ ସ୍ପେଶାଲ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି।