ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ରୋହିତ ଏମିତି ଫର୍ମରେ ଅଛନ୍ତି ଯାହା ଆମେ ରୋହିତଙ୍କ ଠାରୁ ଆଶା କରୁଛୁ। ତେବେ ମଇ ୧୭ ଶୁକ୍ରବାର ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ଶେଷ ଲିଗ ମ୍ୟାଚ ଖେଳୁଥିବାବେଳେ ଅର୍ଦ୍ଧଶତକ ସଂଗ୍ରହ କରିଥିଲେ। ଯାହାକୁ ଦେଖି ସୁନୀଲ ଗାଭାସ୍କର ନିଜର ମନ୍ତବ୍ୟ ରଖିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜର ଅଧିନାୟକ ଭାବରେ ପାଞ୍ଚଟି ଟାଇଟଲ ଜିତିବା ପରେ ରୋହିତଙ୍କୁ ଅଧିନାୟକ ପଦବୀରୁ ହଟାଇ ଦିଆଯାଇଥିଲା। ଏହା ପରେ ଆଇପିଏଲ ୨୦୨୪ ରେ ରୋହିତ ଶର୍ମା ଖାସ ଫର୍ମରେ ନଜର ଆସିନଥିଲେ। ରୋହିତ ସ୍ୱୀକାର କରିଛନ୍ତି ଯେ ସେ ଏହି ସିଜିନ ତାଙ୍କ ପାଇଁ ଏତେ ଭଲ ଯାଇନଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ମାତ୍ର ୩୮ ବଲରେ ୬୮ ରନ ର ବିସ୍ଫୋଟକ ଇନିଂସ ଖେଳି ରୋହିତ ଫର୍ମକୁ ଫେରିଥିଲେ। ଅବଶ୍ୟ, ମୁମ୍ବାଇ ଚଳିତ ସିଜିନର ଦଶମ ପରାଜୟର ସମ୍ମୁଖୀନ ହୋଇଥିଲା ଏବଂ ୧୭ ମଇ ଶୁକ୍ରବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ସିଜିନର ଶେଷ ଘରୋଇ ମ୍ୟାଚରେ ୧୮ ରନ ରେ ପରାସ୍ତ ହୋଇଥିଲା। ଏହା ସତ୍ୱେ ସୁନୀଲ ଗାଭାସ୍କର ରୋହିତଙ୍କ ବ୍ୟାଟିଂ ଦେଖି ବେଶ ଖୁସି ପ୍ରକାଶ କରିଛନ୍ତି ।
ଷ୍ଟାର ସ୍ପୋର୍ଟସ କ୍ରିକେଟ ଲାଇଭରେ କ୍ରିକେଟ ବିଶେଷଜ୍ଞ ଭୂମିକାରେ ଥିବା ସୁନୀଲ ଗାଭାସ୍କର ରୋହିତ ଶର୍ମାଙ୍କ ଫର୍ମ ଏବଂ ଆଗାମୀ ବିଶ୍ୱକପ ପାଇଁ ଏହାର ମହତ୍ତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ସୁନୀଲ ଗାଭାସ୍କର କହିଛନ୍ତି ଯେ, ଯଦିଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଅଫ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ କିନ୍ତୁ ବିଶ୍ୱକପ ପୂର୍ବରୁ ରୋହିତ ଶର୍ମା ଫର୍ମକୁ ଫେରିଛନ୍ତି।
ଅଧିକ ପଢନ୍ତୁ : ଆଇପିଏଲ୍-୨୦୨୪: ଆଜି ଚେନ୍ନାଇ-ବେଙ୍ଗାଲୁର ମୁକାବିଲା; ବର୍ଷା ବାଧକ ସାଜିଲେ କିଏ ଖେଳିବେ ପ୍ଲେଅପ୍ ମ୍ୟାଚ୍