ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଟୁର୍ଣ୍ଣାମେଣ୍ଟର ୬୮ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମୁକାବିଲାରେ ବିଜୟୀ ଟିମ୍ ପ୍ଲେଅଫ୍ରେ ପହଞ୍ଚିବେ ।
ଏହାରି ମଧ୍ୟରେ କୁହାଯାଉଛି ଯେ, ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚରେ ବର୍ଷା ଖଳନାୟକ ସାଜିପାରେ । ପାଣିପାଗ ଉପରେ ଅଭିଜ୍ଞତା ରଖିଥିବା ବ୍ୟକ୍ତିବିଶେଷଜ୍ଞଙ୍କ କହିବା ଅନୁସାରେ ବେଙ୍ଗାଲୁରୁ ଆକାଶରେ ବାଦଲ ଦେଖାଯାଉଛି । ୭.୨ ମିଲିମିଟର ଯାଏଁ ବର୍ଷା ମଧ୍ୟ ହୋଇପାରେ । ଯଦି ମ୍ୟାଚ ବେଳେ ବର୍ଷା ହେବ, ତା’ହେଲେ ମ୍ୟାଚ୍ ବାତିଲ କରିବାକୁ ପଡ଼ିବ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେଲେ, ଏଥିରୁ କାହାକୁ ଲାଭ ମିଳିବ? କେଉଁ ଦଳ ପ୍ଲେଅଫ୍ରେ ପ୍ରବେଶ କରିବ ।
ଆଇପିଏଲ୍ର ବର୍ତ୍ତମାନ ସମୀକରଣ ଉପରେ ଯଦି ନଜର ପକାଇବା, ପଏଣ୍ଟ ଟେବୁଲରେ କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିସାରିଛନ୍ତି । ଚେନ୍ନାଇ ଏହି ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଯଦି ଆଜିର ମ୍ୟାଚରେ ଚେନ୍ନାଇ ଅତିକମରେ ୧୮ ରନ୍ରେ ପରାସ୍ତ କରିବ ଅଥବା ୧୧ଟି ବଲ୍ ଥାଇ ମ୍ୟାଚ୍ ବିଜୟ ହାସଲ କଲେ ବେଙ୍ଗାଲୁରୁ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିବ ।
ଅନ୍ୟପଟରେ ବେଙ୍ଗାଲୁରୁ ଯଦି ମ୍ୟାଚ୍ ହାରିଯାଏ, ଟୁର୍ଣ୍ଣମେଣ୍ଟରୁ ବାହାର ହୋଇଯିବ । କିନ୍ତୁ ବର୍ଷା ଲାଗି ଯଦି ମ୍ୟାଚ ବାତିଲ ହେବ, ତା’ହେଲେ ଚେନ୍ନାଇକୁ ଲାଭ ମିଳିବ । ଚେନ୍ନାଇ ଟିମ୍ ସିଧାସଳଖ ଆଇପିଏଲ୍-୨୦୨୪ର ପ୍ଲେଅଫରେ ଯୋଗ୍ୟତା ହାସଲ କରିବ । ସୂଚନାଯୋଗ୍ୟ, ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚେନ୍ନାଇର ରେକର୍ଡ ଉତ୍ସାହଜନକ । ଚେନ୍ନାଇ ଏପର୍ଯ୍ୟନ୍ତ ୮ଟି ମ୍ୟାଚରୁ କେବଳ ଗୋଟିଏ ମୁକାବିଲାରେ ହାରିଛି ।