୨ ମାସର ଦରମା ନ ମିଳିବାରୁ କର୍ମଚାରୀ ନିଜ ମାଲିକଙ୍କୁ ହତ୍ୟା କରିଛି । ହତ୍ୟାକାରୀକୁ ଗିରଫ କରିଛି ଅଇଁଠାପାଲି ଥାନା ପୋଲିସ । ମୃତକ ହେଉଛନ୍ତି ରଞ୍ଜିତ ସାହା ଏବଂ ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ହେଉଛି ଗୋପବନ୍ଧୁ ବେହେରା । ତେବେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଏସଡିପିଓ ତୋଫାନ ବାଗ। ସୁଚନା ଅନୁଯାୟୀ, ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ରାସ୍ତା ନିକଟରେ ରଞ୍ଜିତ ସାହା ନାମକ ବ୍ୟକ୍ତି ବିଭିନ୍ନ ବସ୍ ରେ କୋରିଅରକୁ ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଇବା କାମ କରୁଥିଲା । ତେବେ ତାଙ୍କ ସଂସ୍ଥାରେ ଗୋପବନ୍ଧୁ ବେହେରା ମଧ୍ୟ କାମ କରୁଥିଲା । ଗୋପବନ୍ଧୁ ବେହେରା କାମ କରୁଥିବା ବେଳେ ୨ ମାସ ହେବ ତାଙ୍କୁ ସଂସ୍ଥାର ମାଲିକ ରଞ୍ଜିତ ସାହା ଦରମା ଦେଇନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଅଭିଯୁକ୍ତ ଜଣକ ଏକ ଲୁହା ପାଇପରେ ଆଘାତ କରିବାରୁ ରଞ୍ଜିତ ସାହାଙ୍କ ମୃତ୍ୟୁ ହୋଇଥିଲା । ରଞ୍ଜିତ ସାହାଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ତଦନ୍ତ କରିବା ପରେ ଏହି ଘଟଣାରେ ଗୋପବନ୍ଧୁ ବେହେରାକୁ ଗିରଫ କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ପାଇପ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିବା ନେଇ ସୂଚନା ମିଳିଛି।
ଅଧିକ ପଢନ୍ତୁ : ଦୁଇ ଝିଅ ଜନ୍ମ ହେବାରୁ ବୋହୂକୁ ନିର୍ଯ୍ୟାତନା