ଗୁରୁବାର ସମ୍ବଲପୁର ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହରର ଶିବ ଦର୍ଶନ ଭବନ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାର ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ ମୃଦୁଲା ଠାକୁର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରେ ରହୁଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିବାରର ସଦସ୍ୟ ମାନଙ୍କୁ ସାକ୍ଷାତ କରିଛନ୍ତି । ଏଥିସହ ସମାଜର ବସ୍ତୁବାଦୀ ସଭ୍ୟତାରେ ମଣିଷକୁ ଜୀବନର ମୂଳ ଉଦ୍ଦେଶ୍ୟ ବୁଝାଇବା ଏବଂ ଇଶ୍ୱରଙ୍କ ନିକଟରେ ସମର୍ପିତ ହେବା ପାଇଁ ଆଧ୍ୟାତ୍ମିକ ଚେତନାକୁ ପରିପ୍ରକାଶ କରିବାରେ ପ୍ରଜାପିତା ବ୍ରହ୍ମାକୁମାରୀ ପରିବାରର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି ।
ଏହାପରେ ସମ୍ବଲପୁର ସହରର ପର୍ଶୁରାମ ଭବନ ଠାରେ ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦାନ କରି ଶିବିର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଶିବିରରେ ଯୋଗଦାନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ରକ୍ତଦାନ କେବଳ ଜାତୀୟ ଆବଶ୍ୟକତାକୁ ପୂରଣ କରେନାହିଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ମହାନ ସେବା ଅଟେ । ସ୍ୱେଚ୍ଛାକୃତ ରକ୍ତଦାନ କରି ସମାଜରେ ସେବା ମନୋଭାବ ସହ ସଚେତନତା ସୃଷ୍ଟି କରୁଥିବାରୁ ଆୟୋଜକ ବିଶେଷତଃ ଯୁବ ବନ୍ଧୁମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗକୁ ନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତର ପ୍ରଜାତନ୍ତ୍ର ସୃଦୃଢ଼ ଓଡ଼ିଶାରେ ମଧ୍ୟ ଆହୁରି ସୃଦୃଢ଼ । ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ଓଡିଶା ତାହା ଦୋହରାଇବ । ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରିଛନ୍ତି ।