ବିଜେପି ସରକାର ଆସିବାର ପ୍ରଥମ ମାସରେ ରେଙ୍ଗାଲି କ୍ଷତିଗ୍ରସ୍ତଙ୍କ ପାଇଁ କମିଶନ ବସି ସମସ୍ୟା ସମାଧାନର ରାସ୍ତା କଢାଯିବ: ଧର୍ମେନ୍ଦ୍ର ପ୍ରଧାନ
Khabar Odisha:Politics-odisha-if-bjp-come-to-power-commission-established-for-rengali-victim-says-Dharmendra-Pradhan
ଦେବଗଡ, ଏପ୍ରିଲ୧୯(ଖବର ଓଡ଼ିଶା):

  କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରକୁ ଆସିବାର ପ୍ରଥମ ମାସରେ ରେଙ୍ଗାଲି କ୍ଷତିଗ୍ରସ୍ତ ବୁଡି ଅଂଚଳର ଲୋକଙ୍କ ପାଇଁ ଉଚ୍ଚସ୍ତରୀୟ କମିଶନ ବସାଯିବ । ଆଗାମୀ ୨ ବର୍ଷ ମଧ୍ୟରେ କମିଶନଙ୍କ ରିପୋର୍ଟ ମାଧ୍ୟମରେ ଏ ଅଂଚଳର ଲୋକଙ୍କ ଉପଯୁକ୍ତ କ୍ଷତିପୂରଣ କଥା ବିଚାର କରାଯିବ । ଫଳରେ କୋର୍ଟରେ ପଡିଥିବା ସବୁ ମାମଲାର ବିଚାର କରାଯିବା ପାଇଁ ପଥ ପରିଷ୍କାର ହେବ ବୋଲି ଦେବଗଡ ଜିଲ୍ଲାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡରେ ଚାଷ, ମତ୍ସ୍ୟ ସମ୍ପଦ, ପର୍ଯ୍ୟଟନ, ଜଙ୍ଗଲ ସମ୍ପଦର ଅପାର ସମ୍ଭାବନା ଅଛି ।ଏଠାକାର ବ୍ରାହ୍ମଣୀରେ ଗୋଟିଏ ଜଳପଥ ନିର୍ମାଣ କରାଯିବ । ସୁନ୍ଦରଗଡର ଲୁହାପଥର ବାରକୋଟ ଜଙ୍ଗସନକୁ ଆସିବ ଏବଂ ଏହି ଅଂଚଳରେ ଏକ ବନ୍ଦର ବନାଯିବ । ଏହି ବନ୍ଦର ମାଧ୍ୟମରେ ସୁନ୍ଦରଗଡର କୋଇଲା ଜାହାଜରେ ବୋଝେଇ ହୋଇ ପାରାଦୀପ ଦେଇ ବିଶ୍ୱ ବଜାରକୁ ଯିବ । ଫଳରେ ଏଠାକାର ଯୁବକମାନେ ରୋଜଗାର ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର – ବିମଳାଗଡ ରେଳ ଲାଇନ ପାଇଁ କେନ୍ଦ୍ର ସରକାର ଟଙ୍କା ଉପଲବ୍ଧ କଲା ପରେ ମଧ୍ୟ ନବୀନ ସରକାର ଜାଗା ଦେଉନଥିବାରୁ ଏହା ପୂରଣ ହୋଇପାରୁନାହିଁ, ବିଜେପି ସରକାର ହେଲେ ଅଗ୍ରାଧୀକାର ଭିତିରେ ୨ ବର୍ଷ ମଧ୍ୟରେ ତାଳଚେର-ବିମଳାଗଡ ରେଳଲାଇନକୁ ପୂର୍ଣ୍ଣାଙ୍ଗ କରାଯିବ। ସେହିପରି ଏ ଅଂଚଳର ପନିପରିବା, ଫୁଲ, ଫଳ ପାଇଁ ଫୁଡ୍ ପ୍ରେସେସିଂ କ୍ଲଷ୍ଟର ତିଆରି କରାଯିବ । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଚାଷୀମାନେ କେବଳ ଚାଷ ଉତ୍ପାଦିତ ଦ୍ରବ୍ୟ ଉତ୍ପାଦନ କରିବେ ନାହିଁ କାରଖାନାର ମାଲିକ ମଧ୍ୟ ବନିବେ । ଏଠାରେ ଜଳପଥ, ସ୍ଥଳପଥ, ରେଳପଥ ସହିତ ଲଜିଷ୍ଟିକ୍ ହବ୍ କରାଯାଇ ଦେବଗଡକୁ ଓଡିଶାର ଆଗୁଆ ଜିଲ୍ଲା କରାଯିବ । 

ଦେବଗଡ ଭଳି କୃଷିପ୍ରଧାନ ଅଂଚଳରେ ପାଣିର ଅଭାବ ନାହିଁ କିନ୍ତୁ ୧୯ ବର୍ଷ ସରକାରରେ ରାଜ୍ୟ ସରକାର ସବୁ ଜମିକୁ ପାଣି ପହଁଚାଇପାରିଲେ ନାହିଁ, ମା’ଭଉଣୀଙ୍କ ପାଇଁ ମୁନ୍ଦେ ଶୁଦ୍ଧ ପିଇବା ପାଣି ନାହିଁ, ୨୪ ଘଂଟା ବିଜୁଳି ନାହିଁ,  ଡାକ୍ତର ନାହାଁନ୍ତି, ସରକାରୀ ସ୍କୁଲରେ ଶିକ୍ଷକ ନାହାଁନ୍ତି, ରୋଜଗାରର ଉପଲବ୍ଧ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ସରକାର ବାଧା ସାଜିବା କାରଣରୁ ଏଠାରେ ମୋଦିଙ୍କ ଅନେକ ବିକାଶର କାମ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ନବୀନ ବାବୁ ଚାଷୀଙ୍କ ତାଲିକା ଦେଇନାହାନ୍ତି । ସେହିପରି ନବୀନ ବାବୁ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ବୋଲି ସେ କହିଛନ୍ତି । 

ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ସାଧାରଣ ଚାଷୀମାନେ ଲାଭ ପାଉନଥିବା ବେଳେ ଶାସକ ଦଳର ଲୋକଙ୍କ ପରିବାର ଲୋକମାନେ ଏହି ଯୋଜନାର ଲାଭାର୍ଥୀ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

  • Tags:

Subscribe

National International State Sports Entertainment