ଯେକୌଣସି ଦେଶ ନିର୍ମାଣରେ ଇଞ୍ଜିନିୟରମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେହି ଇଞ୍ଜିନିୟରମାନଙ୍କ ଅବଦାନ ଦ୍ୱାରା ହିଁ ଦେଶ ଆଗକୁ ବଢିବାରେ ଲାଗିଛି । ଆମେ ରାସ୍ତା,ଘାଟ ,ବଡ଼ବଡ଼ ଅଟାଳିକା ହେଉ ଅବା ରେଳ ଉଡ଼ାଜାହାଜ ଆମେ ଯାହାବି ଦେଖୁଛୁ ତାହା ପଛରେ ରହିଛି ଇଞ୍ଜିନିୟର ମାନଙ୍କ ବିରାଟ ଅବଦାନ ତେଣୁ ଆଜିର ଦିନଟି ଇଞ୍ଜିନିୟରମାନଙ୍କ ଅର୍ଥାତ୍ ରାଷ୍ଟ୍ର ନିର୍ମାଣକାରୀଙ୍କ ଅବଦାନକୁ ସ୍ମରଣ, ପ୍ରଶଂସା ଏବଂ ସମ୍ମାନ ଦେବା ପାଇଁ ପାଳନ କରାଯାଏ ।
ଭାରତ ଜନ୍ମିତ ତଥା ଭାରତ ରତ୍ନରେ ସମ୍ମାନିତ ବିଶିଷ୍ଟ ଇଂଜିନିୟର ଏମ ବିଶ୍ୱେଶ୍ୱରାୟଙ୍କ ଜନ୍ମଦିନକୁ “ଇଂଜିନିୟର ଦିବସ” ଭାବେ ପାଳନ କରାଯାଏ । ଯିଏ ଦିନେ ରେଳରେ ବସି ରେଳ ଧାରଣାର ଫାଟକୁ ଠାବ କରିପାରିଥିଲେ । ଏମ ବିଶ୍ୱେଶ୍ୱରାୟ ୧୮୬୧ ମସିହା ଆଜିର ଦିନରେ କର୍ଣ୍ଣାଟକ ମହିଶୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଖାଲି ଯେ ଜଣେ ଇଂଜିନିୟର ଥିଲେ ତାହା ନୁହେଁ । ସେ ଜଣେ ଦୂରଦର୍ଶୀ ବିଦ୍ୱାନ ଥିବା ସହ ଜଣେ ନିପୁଣ ରାଜନେତା ମଧ୍ୟ ଥିଲେ । ତାଙ୍କ ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ସେ ଉପାଧିରେ ସମ୍ମାନିତହୋଇଥିଲେ । ତାଙ୍କର ଜନ୍ମ ଏକ ଛୋଟ ଗାଁରେ ହୋଇଥିଲା ତେଣୁ ସେ ନିଜ ପ୍ରାଥମିକ ଶିକ୍ଷା ସେ କର୍ଣ୍ଣାଟକର ଚିକବଲାପୁରରେ ଆରମ୍ଭ କରିଥିବା ବେଳେ ପରେ ଉଚ୍ଚଶିକ୍ଷା ପାଇଁ ବାଙ୍ଗାଲୋର ଚାଲି ଆସିଥିଲେ । ଯେଉଁଠାରୁ ୧୮୮୧ ରେ ବିଏ ଡିଗ୍ରୀ ହାସଲ କରିବା ସହ ପୁନେ ସ୍ଥିତ କଲେଜ ଅଫ ଇଂଜିନିୟରିଙ୍ଗରୁ ନିଜ ଇଂଜିନିୟରି ଶିକ୍ଷା ଶେଷ କରିଥିଲେ ।
୧୯୧୨ଠାରୁ ୧୯୧୮ ମସିହା ଭିତରେ ମହୀଶୂର ସହରର ୧୯ ତମ ଦିୱାନ ଥିବା ବେଳେ ତାଙ୍କୁ ମାନ୍ଦ୍ୟ ଜିଲ୍ଲାରେ ନିର୍ମିତ କୃଷ୍ଣରାଜ ସାଗର ବନ୍ଧର ମୁଖ୍ୟ ଧାରକ ଭାବେ ଧରାଯାଇଥାଏ । ନିଜ ଦକ୍ଷତା ବଳରେ ହିଁ ସେ ହାଇଦ୍ରାବାଦ ସହରକୁ ପ୍ରବଳ ବନ୍ୟା ଦାଉରୁ ଉଦ୍ଧାର କରିପାରିଥିଲେ । ବିଶ୍ୱେଶ୍ୱରାୟଙ୍କ କର୍ମନିପୁଣତା ଏମିତି ଥିଲା ଯେ ଖୋଦ ବ୍ରିଟିଶ ମାନେ ବି ତାଙ୍କୁ ସମ୍ମାନ ଜଣାନ୍ତି । ତାଙ୍କ ଅସାଧାରଣ ଦକ୍ଷତା ଏକ ଛୋଟ ଉଦାହରଣରୁ ହିଁ ଅନୁମାନ କରିହେବ । ଥରେ ରେଳଯାତ୍ରା କରୁଥିବା ସମୟରେ ରେଳ ଡବାରେ ଅଧିକାଂଶ ବ୍ରିଟିଶ ଲୋକ ମହଜୂତ ଥିଲେ । ବିଶ୍ୱସାରାୟଙ୍କ ପିନ୍ଧା ଶୈଳୀ ଦେଖି ସେମାନେ ତାଙ୍କୁ ମୂର୍ଖ ଭାବୁଥିଲେ । କିନ୍ତୁ ହଠାତ କଣ ହେଲା କେଜାଣି ବିଶ୍ୱେଶ୍ୱରାୟ ନିଜ ବସିବା ସ୍ଥାନରୁ ଉଠି ରେଳ ଚେନ ଟାଣି ଦେଇଥଲେ।
କିଛି ସମୟ ପରେ ଗାର୍ଡ ଆସି ଏ ବାବଦରେ ପଚାରିବାରୁ ସେ ଉତ୍ତରରେ କହିଥିଲେକି ଆଗକୁ ରେଳ ଧାରଣାରେ ଏକ ଫାଟ ଅଛି । ଗାର୍ଡ ପଚାରିବାରୁ ଆପଣ କେମିତି ଜାଣିଲେ, ଏହାର ଉତ୍ତରରେ ବିଶ୍ୱେଶ୍ୱରାୟ କହିଥିଲେକି ଗାଡିର ସ୍ୱାଭାବିକ ଗତିରେ କିଛିଟା ପରିବର୍ତ୍ତନ ଆସିଛି । ଆଉ ଏହାର ଅସ୍ୱାଭାବିକ ଶବ୍ଦ ମୋତେ କୌଣସି ବିପଦର ଆଶଙ୍କା ଦେଉଛି । ଏହାପରେ ବିଭାଗ ତରଫରୁ ଧାରଣାର ଯାଞ୍ଚ ହେବାରୁ କିଛି ବାଟ ପରେ ରେଳ ଧାରଣାରେ ଏକ ଫାଟ ସୃଷ୍ଟି ହୋଇଥିବା ଜଣାପଡିଥିଲା ଆଉ ଧାରଣାର ନଟ ବୋଲ୍ଟ ଢିଲା ହୋଇଯାଇଛି । ଏହାପରେ ଟ୍ରାକ କୁ ସଜଡାଯାଇଥିଲା । ସେହିଦିନଠାରୁ ସେ ଜଣେ ମହାନ ଇଞ୍ଜିନିୟର ଭାବେ ମାନ୍ୟତା ପାଇଥିଲେ ।
ତେଣୁ ଆମ ଦେଶରେ ଏମ. ବିଶ୍ୱେଶ୍ୱରାୟଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରତିବର୍ଷ ଇଞ୍ଜିନିୟର୍ସ ଦିବସ ପାଳନ କରାଯାଏ । ଏମ. ବିଶ୍ୱେଶ୍ୱରାୟ ଙ୍କୁ ୧୯୫୫ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ବ୍ରିଟିଶ ନାଇଟ୍ହୁଡ୍ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ୧୯୬୨ ମସିହା ୧୪ ଏପ୍ରିଲ ରେ ତାଙ୍କର ଦେହାନ୍ତ ହୋଇଥିଲା ।
ଯେକୌଣସି ଦିନ ପାଳନ କରିବାକୁ, ପ୍ରତିବର୍ଷ କିଛି ଥିମ୍ ସ୍ଥିର କରାଯାଏ ଏବଂ ସେହି ଦିନଟି ପାଳନ କରାଯାଏ । ତେଣୁ ଚଳିତ ବର୍ଷର ଇଞ୍ଜିନିୟରିଂ ଦିବସର ଥିମ୍ ରହିଛି ‘ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଇଞ୍ଜିନିୟରିଂ’ । ଭାରତ ବ୍ୟତୀତ ଇଞ୍ଜିନିୟର ଦିବସ ଅନ୍ୟ ଦେଶରେ ମଧ୍ୟ ଇଞ୍ଜିନିୟର୍ ମାନଙ୍କୁ ସମ୍ମାନିତ କରାଯାଏ, କିନ୍ତୁ ଏହା ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ପାଳନ କରାଯାଏ । ଭାରତରେ ଏହି ଦିନ ୧୫ ସେପ୍ଟେମ୍ବରରେ ପାଳନ କରାଯାଉଥିବାବେଳେ ଏହାର ପଡୋଶୀ ଦେଶ ବାଂଲାଦେଶରେ ଏହା ପ୍ରତିବର୍ଷ ୭ ମେ , ଇଟାଲୀ ୧୫ ଜୁନ୍, ଇରାନ ୨୪ ଫେବୃଆରୀ, ରୋମାନିଆ ୧୪ ସେପ୍ଟେମ୍ବରରେ, ବେଲଜିୟମ ୨୦ ମାର୍ଚ୍ଚରେ ପାଳନ କରାଯାଏ ।