ପୁଅକୁ ବାପାର ଶେଷ ବିଦାୟ ଆଉ ସେଇ ଶେଷ ବିଦାୟ ଯେ କେତେ କଷ୍ଟକର ତାହା କେବଳ ସେଇ ବାପା ହିଁ ଅନୁଭବ କରିପାରୁଥିବ । ନିଜ ଆଖି ଆଗରେ ଏଡିକି ଟିକେରୁ ଏଡ଼େ ବଡ଼ କରିଥିବା ପୁଅ ଯେ ତାଙ୍କ ଆଗରୁ ଏ ଦୁନିଆ ଛାଡି ଚାଲିଯିବେ ସେ କେବେ ବି ସେ କଥା ଭାବି ନଥିବେ । ନିଜ ସହିଦ ପୁଅକୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷଥର ପାଇଁ ବିଦାୟ ଦେଉଛି ବାପା । ଗୋଟେ ପଟେ ଦେଶ ପାଇଁ ସହିଦ ହେଇଥିବା ପୁଅ ପାଇଁ ଛାତି ଗର୍ବରେ ଫୁଲି ଉଠୁଥିବା ସିନା ହେଲେ ବାପାର ହୃଦୟ କିନ୍ତୁ ଭିତରେ ଭିତରେ ତିଳତିଳ ହୋଇ ଭାଙ୍ଗିଯାଉଥିବ ତାହା କେହି ହୁଏତ କଳ୍ପନା କରିପାରୁନଥିବେ ।
ଏହି ମହାନ ବାପା ହେଉଛନ୍ତି ଗତକାଲି ସହିଦ ହୋଇଥିବା ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ହୁମାୟୁନ୍ ଭଟ୍ଟ ପିତା ଗୁଲାମ ହାସନ ଭଟ୍ଟ , ନିଜେ ଜଣେ ପୂର୍ବତନ ପୋଲିସ ସେନା ଅଧିକାରୀ କିନ୍ତୁ ନିଜ ଆଗରେ ପୁଅର ଚାଲିଯିବା ଦୁଃଖ ଛାତିକୁ ଆଜି ପଥର କରିଦେଇଛି ।ଶେଷ ରୀତିନୀତି ସମ୍ପନ୍ନ ବେଳେ ପୁଅର କଫିନ୍ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପିତା ଗୁଲାମ ହାସନ ଭଟ | ଶହୀଦ ହୁମାୟୁନ୍ ଭଟ୍ଟଙ୍କ ସମ୍ମାନାର୍ଥେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ଦୃଶ୍ୟ ଭାବପ୍ରବଣ ସୃଷ୍ଟି କରିଥିଲା । 2018 କ୍ୟାଡର ବ୍ୟାଚ୍ ଅଧିକାରୀ ହୁମାୟୁନ୍ ଗତ ବର୍ଷ ବିବାହ କରିଥିଲେ | ଗତ 26 ଦିନ ତଳେ ତାଙ୍କର ପତ୍ନୀ ଏକ ଶିଶୁ ଜନ୍ମ କରିଛନ୍ତି । ତେବେ କୌଣସି ପରିବାର ପାଇଁ ଏହାଠାରୁ ଆଉ ଦୁଃଖଦ ଘଟଣା ଆଉ କଣ ହୋଇପାରେ ।
ରିପୋର୍ଟ ଅନୁଯାୟୀ ବୁଧବାର ଅନନ୍ତନାଗ ଜିଲ୍ଲା କୋକର୍ନାଗ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା ବେଳେ ଆତଙ୍କବାଦୀମାନେ ସେନା କର୍ମଚାରୀଙ୍କ ଉପରକୁ ଗୁଳି କରିବାରୁ ଦୁଇ ସେନାଧିକାରୀଙ୍କ ସମେତ ୩ ଜଣ ସହିଦ ହୋଇଛନ୍ତି। ଏହି ଘଟଣାରେ ଜମ୍ମୁ-କାଶ୍ମୀର ପୁଲିସର ଡିଏସପି ହୁମାୟୁନ୍ ଭଟ୍ଟ ମଧ୍ୟ ସହିଦ ହୋଇଛନ୍ତି । ଅନ୍ୟ ସହିଦଙ୍କ ମଧ୍ୟରେ ରାଜସ୍ଥାନ ରାଇଫଲସ୍ର କର୍ଣ୍ଣେଲ ମନପ୍ରୀତ୍ ସିଂ ଏବଂ ଭାରତୀୟ ସେନାର ମେଜର ଆଶିଷ ରହିଛନ୍ତି। ଏହାବ୍ୟତୀତଏହି ଘଟଣାରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି ।
ସେହିପରି ରାଜୌରୀରେ ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଏକ ସେନା କୁକର କେଣ୍ଟ୍ ମଧ୍ୟ ସହିଦ ହୋଇଛି। ସେନା କୁକୁରଟି ନିଜର ହ୍ୟାଣ୍ଡଲରଙ୍କ ଜୀବନ ବଞ୍ଚାଇବାକୁ ଯାଇ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ସେନା ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଇଛି। ଉଭୟ ଘଟଣାରେ ଗୁରୁତର ଆହତ ହୋଇଥିବା ଏହି ସେନା କର୍ମଚାରୀଙ୍କୁ ଶ୍ରୀନଗର ନିଆଯାଇଥିଲା। ହେଲେ ସେଠାରେ ଉପରୋକ୍ତ ସେନା ଅଧିକାରୀମାନଙ୍କ ମୃତ୍ୟୁ ହୋଇଛ। ଅନ୍ୟ କିଛି ଆହତ ଯବାନଙ୍କ ଚିକିତ୍ସା ଚାଲିଛି ବୋଲି ସେନା ପକ୍ଷରୁ କୁହାଯାଇଛି ।