ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ସଂଶୋଧନ (SIR) ପ୍ରକ୍ରିୟା ଜରିଆରେ ପ୍ରାୟ ୯୦ ଲକ୍ଷ ଭୋଟ୍ କାଟିଦିଆଯିବା ଘଟଣାକୁ ନେଇ ଦେଶର ରାଜନୀତି ଉଠୁଛି ପଡୁଛି । ସବୁ ମହଲରେ ଏହାକୁ ନେଇ ବିତର୍କର ବିଷୟ ପାଲଟିଛି । ଏସଆଇଆରକୁ ନେଇ ଦେଶର ସମସ୍ତ ବିରୋଧୀ ଦଳ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ରୋହିଣ୍ଟନ୍ ଏଫ୍. ନରିମନ ଏକ କଡ଼ା ବୟାନ୍ ଦେଇଛନ୍ତି। ବହୁସଂଖ୍ୟକ ନାଗରିକଙ୍କ ମତଦାନ ଅଧିକାର ଛଡ଼ାଇ ନିଆଯାଇଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ ଏହି ପ୍ରକ୍ରିୟା ଉପରେ ରୋକ୍ ଲଗାଇବା ପାଇଁ ଯଥେଷ୍ଟ ପଦକ୍ଷେପ ନେଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏକ କାର୍ଯ୍ୟକ୍ରମରେ ମତ ପ୍ରକାଶ କରି ଜଷ୍ଟିସ୍ ନରିମନ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଏତେ ବଡ଼ ପରିମାଣରେ ଅର୍ଥାତ୍ ପ୍ରାୟ ୯୦ ଲକ୍ଷ ଭୋଟରଙ୍କୁ ସେମାନଙ୍କର ମୌଳିକ ମତଦାନ ଅଧିକାରରୁ ବଞ୍ଚିତ କରାଯିବା ଏକ ଚାଞ୍ଚଲ୍ୟକର ଏବଂ ଚିନ୍ତାଜନକ ବିଷୟ ଅଟେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନଙ୍କର ମତାଧିକାରରୁ ବଞ୍ଚିତ କରାଯିବା ପରେ ମଧ୍ୟ ସୁପ୍ରିମକୋର୍ଟ ଏସଆଇଆର୍ ପ୍ରକ୍ରିୟାକୁ ରୋକିବା ପାଇଁ ଆବଶ୍ୟକ କଠୋର ପଦକ୍ଷେପ ନେଇନଥିବା କଥାକୁ ସେ ଗଭୀର ଭାବେ ଅନୁଭବ କରିଛନ୍ତି।
ଆଇନଗତ ଓ ଗଣତାନ୍ତ୍ରିକ ପ୍ରଶ୍ନବାଚୀ
ରିପୋର୍ଟ ମୁତାବକ, ଯେଉଁମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିଲା, ସେଥିମଧ୍ୟରୁ ବହୁସଂଖ୍ୟକ ନାଗରିକ ଆଇନଗତ ଲଢ଼େଇ ମଧ୍ୟ କରିଥିଲେ। ଜଷ୍ଟିସ୍ ନରିମନ ଏଭଳି ବ୍ୟାପକ ସ୍ତରରେ ଭୋଟ୍ କାଟିବା ପ୍ରକ୍ରିୟା ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ସିଧାସଳଖ ପ୍ରଭାବ ପକାଉଥିବା ନେଇ ଦୃଢ଼ ମତ ରଖିଛନ୍ତି। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ସ୍ଥିତି ନିରୀହ ମତଦାତାଙ୍କୁ ବହୁତ ବଡ଼ କ୍ଷତି ପହଞ୍ଚାଉଛି ବୋଲି ସେ ମତ ଦେଇଛନ୍ତି।