ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶଗୁଡିକର ସମାଲୋଚନାକୁ ଖାତିର ନକରି ଭାରତ, ରୁଷ ସହିତ ଆନ୍ତର୍ଜାତୀୟ ସମ୍ପର୍କକୁ ନେଇ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଯେତେବେଳେ ଭାରତର ସୁରକ୍ଷା ଓ ଅଖଣ୍ଡତା ପ୍ରତି ବିପଦ ଆସିଛି, ରୁଷ ସବୁବେଳେ ଭାରତ ପାଖରେ ଠିଆ ହୋଇଛି। ଏପରିକି ସେହି ସମୟରେ ମଧ୍ୟ ରୁଷ ଭାରତକୁ ସାହାଯ୍ୟ କରିଥିଲା, ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ପାକିସ୍ତାନକୁ ସମର୍ଥନ କରୁଥିଲେ।
ନୂଆଦିଲ୍ଲୀରେ ରବିବାର ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀ (MSC)କୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି ଯେ, ଭାରତ ଏବଂ ରୁଷ ମଧ୍ୟରେ ଐତିହାସିକ ଭାବରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଛି ଏବଂ ଉଭୟ ଦେଶ ନିଜର ଅତୀତର ଅଭିଜ୍ଞତା ଆଧାରରେ ଆଜିର ସମ୍ପର୍କକୁ ଆକୃତି ଦେଉଛନ୍ତି। ଏହି କ୍ରମରେ ୧୯୫୦ ଦଶକରୁ ଆରମ୍ଭ କରି ସୋଭିଏତ୍ ସଂଘ ତଥା ରୁଷ ପକ୍ଷରୁ ଭାରତକୁ ମିଳିଥିବା ସମର୍ଥନକୁ ସ୍ମରଣ କରି ସେ କହିଛନ୍ତି ଯେ, ଲୋକମାନେ କେବେବି ଭଲ କିମ୍ବା ମନ୍ଦ ଇତିହାସକୁ ଭୁଲିଯାଆନ୍ତି ନାହିଁ।" ସେହି ସମୟରେ ବିଶ୍ୱର ବଡ଼ ବଡ଼ ଶକ୍ତିଗୁଡ଼ିକ ପାକିସ୍ତାନର ସାମରିକ ଶାସନକୁ ସମର୍ଥନ କରୁଥିଲେ, ଏବଂ ୧୯୭୧ ଯୁଦ୍ଧ ସମୟରେ ଆମେରିକା ପାକିସ୍ତାନ ସପକ୍ଷରେ ବଙ୍ଗୋପସାଗରକୁ ନୌସେନା ପଠାଇଥିବା ବେଳେ ସୋଭିଏତ୍ ସଂଘ ଭାରତକୁ ସାହାଯ୍ୟ କରିଥିଲା।
ରୁଷ ସହିତ ଭାରତର ସମ୍ପର୍କକୁ ନେଇ ପଶ୍ଚିମ ଦେଶଗୁଡ଼ିକ ଦ୍ୱାରା ଉଠାଯାଉଥିବା ପ୍ରଶ୍ନର ପରୋକ୍ଷ ଜବାବ ଦେଇ ଜୟଶଙ୍କର କହିଛନ୍ତି ଯେ, ବିଶ୍ୱର ପ୍ରତ୍ୟେକ ଦେଶ ନିଜସ୍ୱ ଅଭିଜ୍ଞତା ଆଧାରରେ ଅନ୍ୟ ଦେଶ ସହିତ ସମ୍ପର୍କର ମୂଲ୍ୟାୟନ କରିଥାଆନ୍ତି। ଯେପରି ଭାରତ ନିଜେ ୟୁରୋପୀୟ ଦୃଷ୍ଟିକୋଣକୁ ରୁଷ ପ୍ରତି ଆପଣେଇ ନେବ ବୋଲି ଆଶା କରାଯାଇପାରିବ ନାହିଁ, ଠିକ୍ ସେହିପରି ନୂଆଦିଲ୍ଲୀର ନିଷ୍ପତ୍ତି ମଧ୍ୟ ମସ୍କୋ ସହିତ ତାର ଦୀର୍ଘଦିନର ଐତିହାସିକ ଅଭିଜ୍ଞତା ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ରୁଷ ସହିତ ଭାରତର ଅଭିଜ୍ଞତା ସର୍ବଦା ସକରାତ୍ମକ ରହିଛି ବୋଲି ସ୍ପଷ୍ଟ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୧୯୭୦ ଏବଂ ୧୯୮୦ ଦଶକରୁ ଉଭୟ ଦେଶର ଭାଗିଦାରୀ କ୍ରମାଗତ ଭାବେ ସମ୍ପ୍ରସାରିତ ହୋଇଆସୁଛି। ବର୍ତ୍ତମାନ କେବଳ ସାମରିକ ଏବଂ ପରମାଣୁ ସହଯୋଗ ନୁହେଁ, ବରଂ ବାଣିଜ୍ୟ, ଶକ୍ତି (ଏନର୍ଜି) ଏବଂ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ମଧ୍ୟ ପରସ୍ପରର ଭୂମିକା ଅଧିକ ଦୃଢ଼ ହେବାରେ ଲାଗିଛି।