ଆଜି ଦେଶର ସ୍ୱାଧୀନତା ଦିବସ ସହିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଜୟନ୍ତୀ । ଶ୍ରୀଅରବିନ୍ଦ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ମହାନ ଯୋଗୀ ଥିଲେ । ବିଦେଶର ନିଜର ପିଲା ଦିନ କାଟି ଥିବା ଭାରତ ମାତାଙ୍କର ଏହି ମହାନ ସୁପୁତ୍ର ଆଇସିଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସତ୍ୱେ ଏଥିରେ ଯୋଗ ନ ଦେଇ ଭାରତର ସ୍ୱାଧୀନତା ଓ ଭାରତର ପୁର୍ନଜାଗରଣ ପାଇଁ ଜୀବନ ଅର୍ପଣ କରି ଦେଇଥିଲେ । ସେ ଭାରତୀୟ ରାଷ୍ଟ୍ରୀୟତା ସମ୍ପର୍କରେ ବ୍ୟଖ୍ୟା କରିଥିଲେ । ବଙ୍ଗର ଉତରପଡା ଠାରେ ୧୯୦୯ ମସିହାରେ ତାଙ୍କର ଭାଷଣ ହୋଇଥିଲା ଯାହା ଉତରପଡା ଭାଷଣ ନାମରେ ବିଖ୍ୟାତ ।
ଏହି ଭାଷଣରେ ସେ କହିଥିଲେ “.. ମୁଁ କହୁଛି ଯେ ସନାତନ ଧର୍ମ ହିଁ ଆମର ରାଷ୍ଟ୍ରୀୟତା । ହିନ୍ଦୁ ଜାତି ସନାତମ ଧର୍ମକୁ ନେଇ ଜନ୍ମ ହୋଇଛି, ଏହାକୁ ନେଇ ଚାଲିଛି ଓ ଏହାକୁ ନେଇ ଅଗ୍ରସର ହୋଇଛି । ଯେତେବେଳେ ସନାତମ ଧର୍ମର ହାନି ହୋଇଛି ସେତେବେଳେ ଏହି ଜାତିର ମଧ୍ୟ ଅବନତି ହୋଇଛି । ଆଉ ଯଦି ସନାତନ ଧର୍ମର ବିନାଶ ସମ୍ଭବ ହୋଇଥାନ୍ତା ତେବେ ସନାତନ ଧର୍ମ ସହିତ ଏହି ଜାତିର ମଧ୍ୟ ବିନାଶ ହୋଇ ଯାଆନ୍ତା । ସନାତନ ଧର୍ମ ହେଉଛି ରାଷ୍ଟ୍ରୀୟତା । ଏହା ହେଉଛି ସେହି ବାର୍ତା, ଯାହା ଆପଣଙ୍କୁ ମୋତେ ଶୁଣାଇବାର ଅଛି । ”
ଆଜିକୁ ପ୍ରାୟ ୧୧୦ ବର୍ଷ ପୂର୍ବେ ଶ୍ରୀ ଅରବିନ୍ଦଙ୍କ ଏହି ବିଚାର ସମ୍ପୂର୍ଣ ଭାରତକୁ ଏକ ନୂଆ ମନ୍ତ୍ର ଦେଇଥିଲା । ଆଜି ସେହି ଶବ୍ଦ ଗୁଡିକର ପୁନଃ ସ୍ମରଣ କରିବାର ଆବଶ୍ୟକତା ରହିଛି ।
ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ଶ୍ରୀ ଅରବିନ୍ଦ ଭାରତକୁ ରାଷ୍ଟ୍ରୀୟତାର କୌଣସି ନୂଆ ସିଦ୍ଧାନ୍ତ ଦେଇ ନ ଥିଲେ ବରଂ ସେ ଦେଶର ସେହି ସନାତନ ସତ୍ୟକୁ ନୂଆ ଯୁଗରେ ଓ ନୂଆ ଶୈଳୀରେ କେବଳ ବ୍ୟକ୍ତ କରିଥିଲେ । ଏଇଥି ପାଇଁ ଶ୍ରୀ ଅରବିନ୍ଦଙ୍କୁ ଶହେ ବର୍ଷ ପୂର୍ବେ ଭାରତୀୟ ରାଷ୍ଟ୍ରବାଦର ନାୟକ ଓ ଅଗ୍ରଦୂତ ବୋଲି ସ୍ୱୀକାର କରା ଯାଇଥିଲା କାରଣ ସେ ଭାରତୀୟ ସମାଜର ଆତ୍ମାକୁ ଚିହ୍ନି ସଠିକ ଅର୍ଥରେ ରାଷ୍ଟ୍ରୀୟ ରାଜନୀତିର ସୂତ୍ରପାତ କରିଥିଲେ । ତେଣୁ ସେ ସମ୍ପୂର୍ଣ ଭାରତବର୍ଷକୁ ଜାଗ୍ରତ କରିବା ପାଇଁ ଓ ଭାରତବର୍ଷର ଆତ୍ମ ବିଶ୍ୱାସକୁ ପୁଣି ଫେରାଇ ଆଣିବାରେ ସଫଳ ହୋଇଥିଲେ ।
ଭାରତୀୟ ମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ କରିବା ପାଇଁ ସେ ୧୯୦୬ ମସିହାରେ ସେ ବନ୍ଦେ ମାତରମ ପତ୍ରିକା ଆରମ୍ଭ କରିଥିଲେ । ପାଖାପାଖି ଦୁଇ ବର୍ଷ ଧରି ଚାଲିଥିବା ଏହି ପତ୍ରିକା ରାଷ୍ଟ୍ରୀୟ ଜାତୀୟ ସାମ୍ବାଦିକତା ଓ ରାଜନୈତିକ ଆନ୍ଦୋଳନକୁ ଏକ ଅପୂର୍ବ ଅଭିବ୍ୟକ୍ତି ପ୍ରଦାନ କରିଥିଲା । ପ୍ରଥମ ଥର ପାଇଁ ଏହି ପତ୍ରିକା ପୂର୍ଣ ସ୍ୱରାଜ ଭାରତର ଲକ୍ଷ୍ୟ ବୋଲି ଘୋଷଣା କରିଥିଲା । ପତ୍ରିକା ପୂର୍ଣ ସ୍ୱରାଜ କୁ କେବଳ ସ୍ଲୋଗାନ ଭାବେ ନୁହେଁ ବରଂ ଏକ ସୁଚିନ୍ତିତ ସିଦ୍ଧାନ୍ତ, ଶକ୍ତିଶାଳୀ ଓ ବିସ୍ତୃତ ବ୍ୟାଖ୍ୟା ଆଧାରରେ ପ୍ରସ୍ତୁତ କରିଥିଲା ।
ଶ୍ରୀ ଅରବିନ୍ଦଙ୍କ ସ୍ପଷ୍ଟ ମତ ଥିଲା ଯେ ପ୍ରଥମେ ଭାରତର ଜାତୀୟ ସ୍ୱରକୁ ମଜବୂତ ନ କରି ଇଂଲଣ୍ଡର ଲୋକଙ୍କ ଠାରେ ଭାରତ ପାଇଁ ନିବେଦନ କରିବାର କୌଣସି ଅର୍ଥ ନାହିଁ । ଏହା ବ୍ୟତୀତ ସେ ସିଦ୍ଧାନ୍ତ ଭାବେ ବିଟ୍ରିଶ ଲୋକ ମାନଙ୍କ ନିକଟରେ କୌଣସି ପ୍ରାର୍ଥନା ନକରିବାକୁ ଆହ୍ୱାନ କରିଥିଲେ ଓ ଏହାକୁ ସେ ଭିକ୍ଷା ନୀତି ବୋଲି ମନେ କରୁଥିଲେ ।
ବନ୍ଦେ ମାତରମ ପରେ ଶ୍ରୀଅରବିନ୍ଦଙ୍କ ପରିଚାଳନା ଓ ସମ୍ପାଦନାରେ ଆଉ କିଛି ପତ୍ରିକା ପ୍ରକାଶିତ ହୋଇଥିଲା । ଏଗୁଡିକର ନାମ ଥିଲା ଧର୍ମ ଏବଂ କର୍ମଯୋଗୀ ।
ବନ୍ଦେ ମାତରମ ଓ ଧର୍ମ ପତ୍ରିକାର ପୃଷ୍ଠା ମାନଙ୍କରେ ଶ୍ରୀଅରବିନ୍ଦ ଦେଶ ପାଇଁଏକ ନୂତନ ରାଜନୈତିକ କାର୍ଯ୍ୟକ୍ରମ ଘୋଷିତ ଓ ବିକଶିତ କରିଥିଲେ । ଅସହଯୋଗ, ନିଷ୍କ୍ରିୟ ପ୍ରତିରୋଧ, ସ୍ୱଦେଶୀ, ରାଷ୍ଟ୍ରୀୟ ଶିକ୍ଷା, ବିଦେଶୀ ବସ୍ତୁ ଠାରୁ ଆରମ୍ଭ କରି ବିଦେଶୀ ଶିକ୍ଷା ଓ ବିଦେଶୀ ନ୍ୟାୟାଳୟ ମାନଙ୍କର ବହିଷ୍କାର, ଲୋକ ମାନଙ୍କ ମଧ୍ୟରେ ଆଇନଗତ ବିବାଦର ସମାଧାନ ପାଇଁ ଲୋକପ୍ରିୟ ମଧ୍ୟସ୍ଥ ଦ୍ୱାରା ନିଷ୍ପତି ଆଦି ଏହାର ପ୍ରମୁଖ ଅଂଶ ଥିଲା । ବନ୍ଦେ ମାତରମରେ ସେ ନିଷ୍କ୍ରିୟ ପ୍ରତିରୋଧ ଶୀର୍ଷକରେ ଏକ ଲେଖା ସିରିଜ ଲେଖିଥିଲେ । ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବାର ଖୁବ ପୂର୍ବରୁ ସେ ଏ ବିଷୟରେ ଲେଖି ସାରିଥିଲେ ।
ମାତୃଭୂମି ପାଇଁ ତ୍ୟାଗ କରିବାକୁ ପ୍ରେରଣା ଦେଇ ଶ୍ରୀଅରବିନ୍ଦ ଯୁବକ ମାନଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମର ଅଗ୍ନି ପ୍ରଜ୍ୱଳିତ କରାଇପାରିଥିଲେ । ଏହା କେବଳ ଏଇଥି ପାଇଁ ସମ୍ଭବ ହୋଇପାରିଥିଲା ଯେ ଶ୍ରୀଅରବିନ୍ଦ ଭାରତୀୟ ରାଷ୍ଟ୍ରୀୟତାର ଆତ୍ମା ସନାତନ ଧର୍ମ ଉପରେ ନିଜକୁ ଦୃଢତାର ସହ ଆରୁଢ କରିଥିଲେ ।
ଯେତେବେଳେ ବନ୍ଦେ ମାତରମ ଆରମ୍ଭ ହେଲା ସେତେବେଳେ ଯାଏ ଭାରତ ଉପରେ ବ୍ରିଟିଶ ଶାସନ ଏକ ସ୍ଥାୟୀ ଓ ସାମାନ୍ୟ ବ୍ୟବସ୍ଥା ବୋଲି କଂଗ୍ରେସ ଦଳର ସୁବିଚାରିତ ମତ ଥିଲା । କଂଗ୍ରେସର ତତ୍କାଳୀନ ନରମ ଦଳୀୟ ନେତୃତ୍ୱ ଆଶା କରୁଥିଲା ଯେ ଆଗାମୀ ଶହେ ବର୍ଷ ଯାଏ ଭାରତବାସୀଙ୍କ ହାତରେ ସ୍ଥାନୀୟ ବିଷୟରେ ସାମାନ୍ୟ କିଂଚିତ ସ୍ୱଶାସନ ମିଳି ପାରିବ । ତାହା ମଧ୍ୟ ଇଂରେଜ ମାନଙ୍କର ଅସୀମ କୃପାରେ । ତେଣୁ ବ୍ରିଟିଶ ଶାସନକୁ ଛୋଟ ଛୋଟ କଥାରେ ଗଦଗଦ ହୋଇ ଧନ୍ୟବାଦ ଦେବା ଓ ଅତ୍ୟନ୍ତ ଛୋଟ ଛୋଟ ଦାବିକୁ ନେଇ ଅନୁରୋଧ କରିବା ହିଁ କଂଗ୍ରେସ ଦଳର ସ୍ଥାୟୀ ନୀତି ଥିଲା ।
ଏହି ଭଳି ପରିସ୍ଥିତିରେ ବନ୍ଦେ ମାତରମ ପତ୍ରିକାର ଯେଉଁ ସ୍ୱର ଥିଲା ତାହା ଅଭୂତପୂର୍ବ ସାହସ ଓ ଆତ୍ମବିଶ୍ୱାସରେ ଭରପୂର ଥିଲା । ବ୍ରିଟିଶ ସଭ୍ୟତା, ସଂସ୍କୃତି ସାମନାରେ ନିଜକୁ ହୀନ ବୋଲି ମନେ କରିବା ବଦଳରେ ଭାରତୀୟ ସଭ୍ୟତା- ସଂସ୍କୃତିର ଅତୁଳନୀୟ ଶ୍ରେଷ୍ଠତା ତାଙ୍କର ବୈଚାରିକତାର ଦୃଢ ଆଧାର ଥିଲା ।
ଶ୍ରୀଅରବିନ୍ଦଙ୍କ ଶବ୍ଦରେ -“ ଆମେ ବାହାର ଲୋକଙ୍କ ଦ୍ୱାରା ଆମ ଉପରେ ନିଜ ଠାରୁ ଏକ ନିମ୍ନ ପ୍ରକାରର ସଭ୍ୟତାକୁ ଲଦି ଦିଆ ଯିବା ବା ଅଧିକ ଉପଯୁକ୍ତ ଜିନିଷ ବୋଲି କହି ଆମକୁ ଆମର ସଭ୍ୟତା ଠାରୁ ଦୂରେଇ ରଖିବାକୁ ଅସ୍ୱୀକାର କରୁଛୁ । ”
ଶ୍ରୀଅରବିନ୍ଦ ଓ ତାଙ୍କ ସହଯୋଗୀ ମାନେ ସେତେବେଳର କଂଗ୍ରେସ ନେତୃତ୍ୱ ଠାରୁ ଅତ୍ୟନ୍ତ ଭିନ୍ନ ବିଚାର ପ୍ରସ୍ତୁତ କରିଥିଲେ । ଫଳରେ କଂଗ୍ରେସର ନରମ ଦଳର ନେତା ମାନଙ୍କୁ ବାଧ୍ୟ ହୋଇ ତାଙ୍କର କାର୍ଯ୍ୟକ୍ରମ ସ୍ୱରାଜ୍ୟ, ସ୍ୱଦେଶୀ, ବହିଷ୍କାର ଓ ରାଷ୍ଟ୍ରୀୟ ଶିକ୍ଷାକୁ ନିର କାର୍ଯକ୍ରମରେ ସାମିଲ କରିବାକୁ ପଡିଥିଲା । ଏଠାରେ ଏହା ଉଲ୍ଲେଖ କରିବା ଆବଶ୍ୟକ ଯେ ଏହି କାର୍ଯ୍ୟକ୍ରମ ମୂଳ ଭାବେ ଶ୍ରୀ ଅରବିନ୍ଦ ଓ ସ୍ୱଦେଶୀ ଆନ୍ଦୋଳନର ଦାନ ଥିଲା ଯାହାକୁ ପରେ ଗାନ୍ଧୀଜୀ ନିଜର ଅସହଯୋଗ ଆନ୍ଦୋଳନରେ ଆପଣାଇଥିଲେ ।
ଶ୍ରୀ ଅରବିନ୍ଦ ସ୍ୱାଧୀନତାର ଲକ୍ଷ୍ୟ ବ୍ରିଟିଶ ମାନଙ୍କ ପ୍ରତି ଘୃଣା ଅଥବା ସେମାନଙ୍କର କୁଶାସନ, ଅତ୍ୟାଚାରର ଅଭିଯୋଗ ଆଧାରରେ ନୁହେଁ ବରଂ ଭାରତୀୟ ରାଷ୍ଟ୍ରର ନିଜସ୍ୱ ଅଧିକାର ଆଧାରରେ ଥିଲା । ଶ୍ରୀଅରବିନ୍ଦ ଲେଖିଲେ -“କୌଣସି ପରାଧୀନ ରାଷ୍ଟ୍ର କ୍ରମଶଃ ପ୍ରଗତି କରି କରି ସ୍ୱାଧୀନତା ଯାଏ ପହଂଚେ ନାହିଁ ବରଂ ସ୍ୱାଧୀନତା ହାସଲ କରି ନିଜର ପ୍ରଗତିର ମାର୍ଗ ଖୋଲିଥାଏ ।
ଶ୍ରୀ ଅରବିନ୍ଦଙ୍କ ମତରେ ଭାରତ କୌଣସି ଭୌଗଳିକ ନାମ, କୌଣସି ଭୂମିର ଅଂଶ, ଭୌତିକ ବସ୍ତୁ କିମ୍ବା ବୌଦ୍ଧିକ ଅବଧାରଣା ନୁହେଁ ବରଂ ଭାରତ ହେଉଛି ଦେବୀ ସ୍ୱରୂପା ଶକ୍ତିଶାଳିନୀ ମା, ଯିଏ ଶହ ଶହ ବର୍ଷ ଧରି ନିଜର ପିଲା ମାନଙ୍କର ଲାଳନ ପାଳନ କରିିଥିଲା ଓ ବର୍ତମାନ ବିଦେଶୀ ଅତ୍ୟାଚାରରେ ନିର୍ଯ୍ୟାତିତା । ”
୧୯୪୭ ମସିହାରେ ଭାରତ ସ୍ୱାଧୀନ ହେଲା ସତ ହେଲେ ସ୍ୱାଧୀନ ଦେଶ ଖଣ୍ଡିତ ଭାରତ ଆକାରରେ ମିଳିଲା । ଭାରତମାତାର ବିଭାଜନ କରି ଦିଆ ଯାଇଥିଲା । ଶ୍ରୀଅରବିନ୍ଦ କହିଲେ ଭାରତର ବିଭାଜନ କରା ଯାଇ ପାରିବ ନାହିଁ, ଭାରତ ପୁଣି ଥରେ ଅଖଣ୍ଡ ହେବ । ଆଜି ମହାଯୋଗୀ ଅରବିନ୍ଦଙ୍କ ଜୟନ୍ତୀରେ ଆଶା କରିବା ଯେ ସେହି ମହାପୁରୁଷଙ୍କ ଭବିଷ୍ୟବାଣୀ ସତ୍ୟ ହେବ ଓ ଭାରତ ପୁନଃ ଅଖଣ୍ଡ ହେବ । ସେ ଦିଗରେ ସମସ୍ତଙ୍କୁ ପ୍ରୟାସ କରିବା ଆବଶ୍ୟକ ।