ଆଜି ହେଉଛି ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ୧୯୨୫ ମସିହାରେ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ବହୁ ଆୟାମୀ ବ୍ୟକ୍ତିତ୍ୱ ଥିଲା । ସେ ଜଣେ ଏକାଧାରରେ କବି, ସାହିତ୍ୟିକ, ସମ୍ବେଦନଶୀଳ ରାଜନେତା ଥିଲେ । ପ୍ରବଳ ରାଷ୍ଟ୍ର ଭକ୍ତ ଶ୍ରୀ ବାଜପେୟୀ ଭାରତରେ ଆଜି ପର୍ଯ୍ୟନ୍ତ ହୋଇଥିବା ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ତାଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶ ତଥା ଦେଶବାସୀଙ୍କ ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଥିଲେ । ତାଙ୍କର ଯେଉଁ ପଦକ୍ଷେପ ପାଇଁ ଭାରତର ଇତିହାସ ତାଙ୍କୁ ମନେ ରଖିବା ତାହା ହେଉଛି ଯେ ସେ ଭାରତକୁ ପରମାଣୁ ଶକ୍ତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ କରିଥିଲେ । ସେ କହୁଥିଲେ ଯେ ଦେଶର ସୁରକ୍ଷା ସର୍ବୋପରି । ତେଣୁ ସେ କୌଣସି ବିଦେଶୀ ଦେଶର ଚାପକୁ ଖାତିର ନ କରି ଭାରତରେ ପରମାଣୁ ପରୀକ୍ଷଣ କରିଥିଲେ ଓ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିଥିଲେ ।
ବିିଶ୍ୱରେ କିଛି ଦେଶ ଅଛନ୍ତି ସେମାନେ ନିଜକୁ ବିଶ୍ୱର ମାଲିକ ଭଳି ମନେ କରନ୍ତି । ସେମାନେ କହନ୍ତି ଯେ ଆମେ ସ୍ଥିର କରିବୁ କିଏ କଣ କରିବ ଓ କିଏ କଣ ନ କରିବ । ଆମେରିକା ଭଳି ଦେଶ ଏହି ବର୍ଗର । ସେମାନଙ୍କ କହିବା କଥା ଆମ ପାଖରେ ପରମାଣୁ ବୋମା ରହିଲେ କିଛି ଅସୁବିଧା ନାହିଁ ହେଲେ ଅନ୍ୟ କାହା ହାତରେ ଏହା ନ ଆସୁ । ତେଣୁ ସେମାନେ ଅନ୍ୟ କେହି ଦେଶ ଏପରି ନ କରନ୍ତୁ ସେଥିପାଇଁ ସମସ୍ତ ପ୍ରକାର ଚାପ ପ୍ରୟୋଗ କରିଥାନ୍ତି ।
କୁହା ଯାଏ ଯେ ବିଜ୍ଞାନ କେବେ ହେଲେ କୁପାତ୍ର କୁ ମିଳିବା ଉଚିତ ନୁହେଁ । କୁପାତ୍ର ହାତରେ ବିଜ୍ଞାନ ଆସିଗଲେ ସେ ଏହାର ପ୍ରୟୋଗ ଧ୍ୱଂସ କରିବା ପାଇଁ କରି ପାରେ । ଚୀନ ୧୯୬୨ ମସିହାରେ ଭାରତ ଉପରେ ଆକ୍ରମଣ କରିବା ପରେ ପରେ ହିଁ ପରମାଣୁ ପରୀକ୍ଷା କରିଥିଲା ଓ ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପରିଣତ ହୋଇଥିଲା । ଅନ୍ୟ ପକ୍ଷରେ ଭାରତକୁ ଘେରିବା ଉଦ୍ଦେଶ୍ୟ ନେଇ ପାକିସ୍ତାନକୁ ମଧ୍ୟ କିଛି ଦେଶ ପରମାଣୁ ଟେକ୍ନୋଲଜି ପ୍ରଦାନ କରିଥିବା ଖବର ଆସୁଥିଲେ । ଏହା ବିଜ୍ଞାନ କୁପାତ୍ରକୁ ଦାନ ସହ ସମାନ ଥିଲା । ସେହିପରି ଭାରତ ଉପରେ ଆକ୍ରମଣ କରିଥିବା ଦେଶ ଚୀନ ନିକଟରେ ପରମାଣୁ ବୋମା ରହିଥିବା ନିଶ୍ଚିତ ଭାବେ ଭାରତର ସୁରକ୍ଷା ପାଇଁ ବିପଦ ଥିଲା । ଏହା ଭାରତ ସରକାର ଭଲ ଭାବେ ବୁଝୁଥିଲେ । ହେଲେ ଆମେରିକାର ଚାପକୁ ଆଖି ଆଗରେ ରଖି କେହି ପରମାଣୁ ପରୀକ୍ଷଣ ପାଇଁ ସାହସ କରି ପାରୁ ନ ଥିଲେ । ତେଣୁ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇ ପାରୁ ନ ଥିଲା ।
ମାତ୍ର ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ସମସ୍ତ ପ୍ରକାର ଚାପକୁ ଭୃକ୍ଷେପ ନ କରି ୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରଣ ଠାରେ ଦୁଇଟି ପରୀକ୍ଷଣ କରିଥିଲେ ଓ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ କ୍ଲବରେ ସାମିଲ କରାଇ ଦେଇଥିଲେ ।
ଦେଖିବାକୁ ଗଲେ ଭାରତୀୟ ଜନତା ପାର୍ଟି ତାର ଜନ୍ମ କାଳରୁ ତଥା ଜନସଂଘ ସମୟରୁ ଭାରତରୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଦେଖିବାକୁ ଚାହିଁ ଆସଥିଲା । ଜନ ସଂଘ ଏକ ଏପରି ଶକ୍ତିଶାଳୀ ଭାରତର କଳ୍ପନା କରେ ଯେଉଁଥିରେ ବିଭିନ୍ନ ଦେଶ ମାନଙ୍କ ସହ ବଡ -ସାନ ଶକ୍ତିଶାଳୀ ଓ ଶକ୍ତିହୀନ ଆଧାରରେ ନୁହେଁ ବରଂ ସମାନ - ସମାନ ଶକ୍ତି ଆଧାରରେ ମିତ୍ରତା ସ୍ଥାପନ କରା ଯାଇ ପାରିବ । ତେଣୁ ଜନସଂଘ ସମୟରୁ ହିଁ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ପରିଗଣିତ ହେଉ ବୋଲି ଏହାର ପ୍ରାରମ୍ଭିକ ନୀତିରୁ ହିଁ ଉଲ୍ଲେଖ ରହି ଆସିଥିଲା ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲବାଲକର ( ଗୁରୁଜୀ) ମଧ୍ୟ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରା ଷ୍ଟ୍ର ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ୧୯୬୨ ମସିହାରେ ଚୀନ ଦ୍ୱାରା ଭାରତ ଉପରେ ଆକ୍ରମଣ ତଥା ୧୯୬୪ ମସିହାରେ ଚୀନ ଦ୍ୱାରା ପରମାଣୁ ୁପରୀକ୍ଷା ପରେ ଭାରତ ନିଶ୍ଚିତ ଭାବେ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେବା ଆବଶ୍ୟକ ବୋଲି କହିଥିଲେ । ସେ କହିଥିଲେ ଯେ - “ପରମାଣୁ ବୋମାର ଉତର ପରମାଣୁ ବୋମା ହିଁ ହୋଇ ପାରିବ । ତେଣୁ ଭାରତକୁ ମଧ୍ୟ ପରମାଣୁ ବୋମା ତିଆରି କରିବାର ଆବଶ୍ୟକତା ରହିଛି ଯାହା ଦ୍ୱାରା ଜନ ସାଧାରଣ ଓ ସୈନିକ ମାନଙ୍କ ମଧ୍ୟରେ ବିଶ୍ୱାସ ଉତ୍ପନ୍ନ ହୋଇ ପାରିବ ।”
ସେତେବେଳେ ଅଟଳ ବିହାରୀ ବାଜପେୟୀ ଅନେକ ରାଜନୈତିକ ଦଳକୁ ଏକାଠି କରି ଲଢୁଥିଲେ । ସେତେବେଳେ ବିଜେପି ଆଜି ପରି ଶକ୍ତିଶାଳୀ ନ ଥିଲା । ବିଜେପିକୁ ଅନେକ ରାଜନୈତିକ ଦଳ ମାନଙ୍କ ସହ ମେଂଟ କରିବାକୁ ପଡୁଥିଲା । ଏହି ମେଂଟ କାରଣରୁ ବିଜେପିକୁ ତାର ମୁଖ୍ୟ ପ୍ରସଙ୍ଗ ଯେପରିକି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ, ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ତଥା ୟୁନିଫର୍ମ ସିଭିଲ କୋଡ ପରି ବିଷୟକୁ ସାମୟିକଭାବେ ଛାଡିବାକୁ ପଡିଥିଲା । ହେଲେ ଏହି ଦଳ ମାନଙ୍କୁ ନେଇ ସର୍ବସମ୍ମତି କ୍ରମେ ନ୍ୟାସନାଲ ଏଜେଣ୍ଡା ( ରାଷ୍ଟ୍ରୀୟ ଏଜେଣ୍ଡା) ତିଆରି କରା ଯାଇଥିଲା ସେଥିରେ ଭାରତକୁ ପରମାଣୁ ସମ୍ପନ୍ନ କରା ଯିବ ବୋଲି ଉଲ୍ଲେଖ ରହିଥିଲା । ନ୍ୟାସନାଲ ଏଜେଣ୍ଡାରେ କୁହା ଯାଇଥିଲା - “ ଦେଶର ନିରାପତା ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବୁ । ସମସ୍ତ ଉପଲବ୍ଧ ଥିବା ବିକଳ୍ପକୁ ଦେଖିବୁ । ଏହି ଉଦ୍ଦେଶ୍ୟ ପୂର୍ତି ପାଇଁ ଆମେ ଦେଶରେ ଚାଲି ଆସୁଥିବା ପରମାଣୁ ନୀତି ପରମାଣୁ ନୀତିର ପୁନଃ ମୂଲ୍ୟାଙ୍କନ କରିବୁ ଓ ପରମାଣୁ ଅସ୍ତ୍ର ଶସ୍ତ୍ର ତିଆରି କରିବାର ବିକଳ୍ପ ଆପଣାଇବୁ । ”
୧୯୯୮ ମସିହା ୧୧ ଓ ୧୩ ତାରିଖ ଦିନ ପୋଖରଣ କେବଳ ପରମାଣୁ ପରୀକ୍ଷଣ ହୋଇ ନ ଥିଲା ବରଂ ଏହା ସହିତ ଭାରତର ରାଷ୍ଟ୍ରୀୟ ଅସ୍ମିତା, ଭାରତର ଅସ୍ତିତ୍ୱ, ଭାରତର ଗୌରବ, ଭାରତର ଚେତନା, ଭାରତର ଭାବୀ ଆକାଂକ୍ଷା, ରାଷ୍ଟ୍ରୀୟ ସୁରକ୍ଷାର ଆଶ୍ୱସ୍ତି, ଆତ୍ମସମ୍ମାନର ସାମର୍ଥ୍ୟ, ବିଶ୍ୱ ମୈତ୍ରୀ ପାଇଁ ସମାନତାର ସର୍ତ, ଓ ମାନ୍ୟତାର ବିସ୍ଫୋରଣ ହେବା ଦ୍ୱାରା ଦେଶବାସୀ ଗର୍ବ ଓ ଗୌରବର ଅନୁଭବ କଲେ । ଭାରତ ମାତାର ମସ୍ତକ ଉଚ୍ଚ ହେଲା । ଭାରତର ଆତ୍ମ ସମ୍ମାନ ବୃଦ୍ଧି ପାଇଥିଲା ।
ପରମାଣୁ ବିସ୍ଫୋରଣ ପରେ ଅଟଳ ବିହାରୀ ବାଜପେୟୀ କହିଲେ - ନିର୍ବାଚନ ସମୟରେ ଆମେ ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତା ପ୍ରତି ପ୍ରତିବଦ୍ଧତା କାରଣରୁ ଆମେ ପରମାଣୁ ପରୀକ୍ଷା କରିଛୁ । ଏହା ସରକାରଙ୍କର ରାଷ୍ଟ୍ରୀୟ ଏଜେଣ୍ଡାର ଅଂଶବିଶେଷ । ରାଷ୍ଟ୍ରୀୟ ସୁରକ୍ଷାକୁ ସର୍ବୋପରି ବୋଲି ମାନିବା କାରଣରୁ ହିଁ ପରମାଣୁ ପରୀକ୍ଷା କରିବାର ଏହି ନିଷ୍ପତି ନିଆ ଯାଇଥିଲା । ମୁଁ ଗତ ଚାରି ଦଶନ୍ଧି ଧରି କହି ଆସୁଛି ଯେ ଭାରତକୁ ପରମାଣୁ ସମ୍ପନ୍ନ ଦେଶ ହେବା ଉଚିତ । ମୋ ପାର୍ଟି ଭାରତୀୟ ଜନତା ପାର୍ଟି ତଥା ପୂର୍ବବର୍ତୀ ଦଳ ଜନ ସଂଘ ଲଗାତାର ଭାବେ ଏହି ଦାବି କରି ଆସୁଛନ୍ତି । ଯେତେବେଳେ ଆମେ ବର୍ତମାନ ସରକାରରେ ଅଛୁ ସେତେବେଳେ ଲୋକ ମାନେ ଆଶା କରନ୍ତି ଯେ ଆମେ ଆମର ପ୍ରତିବଦ୍ଧତାକୁ ପୂରଣ କରୁ । ଆମେ ପ୍ରମାଣିତ କରିଛୁ ଯେ ଆମେ ଯାହା କହୁ ତାହା କରୁ ।
ପୋଖରଣରେ ପରମାଣୁ ବିସ୍ଫୋରଣ କରି ନିଜର ନାମକୁ ସାର୍ଥକ କରିଥିଲେ ବାଜପେୟୀ । ଏପରି ନିଷ୍ପତି ଗ୍ରହଣ କରି ଅଟଳ ହେବାର ପରିଚୟ ଦେଇଥିଲେ ବାଜପେୟୀ । ତାଙ୍କୁ ଜଣା ଥିଲା ଯେ ଏହା ଦ୍ୱାରା ଭାରତ ଉପରେ ବିଶ୍ୱର ବିଭିନ୍ନ ଦେଶ କଟକଣା ଲଗାଇବେ ଓ ଆର୍ଥିକ ଦୃଷ୍ଟିରୁ ଭାରତ କ୍ଷତିଗ୍ରସ୍ତ ହୋଇ ପାରେ । ହେଲେ ଏହା ତାଙ୍କର ଅଟଳ ସଂକଳ୍ପରୁ ଓହରି ନ ଥିଲେ । ଆମେରିକାର ସାଟେଲାଇଟର ନୀରିକ୍ଷଣ ସତ୍ୱେ ଭାରତ ଏହି ପରମାଣୁ ପରୀକ୍ଷଣ କରି ସମସ୍ତଙ୍କୁ ଚକମା ଦେଇଥିଲା ଓ ଶେଷରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହୋଇଥିଲା ।
ଯଦି ଆମେ କେବଳ ଗୋଟିଏ କାମ ପାଇଁ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ରଖିବା ତାହା ହେଉଛି ଏହି ପୋଖରଣ ପରୀକ୍ଷଣ ପାଇଁ । ଏହା ଦ୍ୱାରା ଦୀର୍ଘ ଶହ ଶହ ବର୍ଷ ଧରି ଦାସତ୍ୱରୁ ମୁକ୍ତ ହୋଇଥିବା ଭାରତକୁ ପୁଣି ଥରେ ପରମ ବୈଭବଶାଳୀ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଆଧାରଭୂମି ତିଆରି କରିଥିଲେ । ପୁଣ୍ୟତିଥିରେ ତାଙ୍କୁ ନମନ ।