ଆଜି ଅଁଳା ନବମୀ। ଶ୍ରୀକ୍ଷେତ୍ର ପୁରୀ ଅପେକ୍ଷା ସାକ୍ଷୀଗୋପାଳ ବା ସତ୍ୟବାଦୀରେ ଥିବା ଗୋପାଳ ମନ୍ଦିରରେ ପ୍ରବଳ ଭିଡ। କାରଣ ଏଠି ମା’ ରାଧାରାଣୀଙ୍କ ପାଦ ଦର୍ଶନ ହେଉଛି। ଆପଣଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ଏ ରାଧା ପାଦଦର୍ଶନ କ’ଣ ? କ’ଣ ପାଇଁ ଏ ସ୍ବତନ୍ତ୍ର ପର୍ବ। ଏ ସବୁ ବିଷୟରେ ଆପଣଙ୍କୁ କହିବା ଆଗରୁ ଆମେ ରାଧାଙ୍କ ଅଗମନ ସମ୍ପର୍କରେ ଥିବା କାହାଣୀ ଓ କିମ୍ବଦନ୍ତୀଟି କହିବୁ।
କଥାରେ ଅଛି ଏ ଯେଉଁ ଗୋପାଳଙ୍କୁ ଆପଣ ଏଠାରେ ଦେଖୁଛନ୍ତି ସେ କାଞ୍ଚିରୁ ଆସିଛନ୍ତି। ଏପଟେ କାଞ୍ଚିର କାହାଣୀ କହୁଛି, ଏ ଠାକୁର ଦିନେ ସାକ୍ଷୀ ଦେବାକୁ ବୃନ୍ଦାବନରୁ କାଞ୍ଚି ଆସିଥିଲେ। କିନ୍ତୁ ଭକ୍ତ ଜଣକ ବୁଲି ଚାହିଁଦେବାରୁ ଠାକୁରେ ସେଇଠି ଅଟକି ଯାଇଥିଲେ। ତା ପରେ କାଞ୍ଚି ଅଭିଯାନରେ ଗଲେ ଉତ୍କଳର ଗଜପତି ପୁରୁଷୋତ୍ତମଦେବ ଆଉ ସାଥିରେ ଘେନି ଆଣିଲେ ସାକ୍ଷୀ ଗୋପାଳଙ୍କୁ। ପ୍ରଥମେ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରହି ମହାପ୍ରଭୁଙ୍କ ଭୋଗ ମାରା କଲେ। ଜଗନ୍ନାଥେ ରାଜାଙ୍କୁ ସ୍ବପ୍ନ କଲେ, ଏ ଦିଅଁଙ୍କୁ ସାଥିରେ ନିଅ। ରାଜା ଠାକୁରଙ୍କୁ କଟକ ବାରବାଟୀ ଦୁର୍ଗରେ ରଖିଲେ, ପରେ ଗଡ ଖୋର୍ଦ୍ଧା, ଗଡ କନ୍ତଳବାଇ, ଗଡ ରଥୀପୁର ଆଉ ଶେଷରେ ଏଇ ସତ୍ୟବାଦୀରେ ସ୍ଥାୟୀ ଭାବେ ରଖାଇଲେ। କିନ୍ତୁ ରାଧା ନ ଥିଲେ । ବୃନ୍ଦାବନେଶ୍ବରୀ ମା’ ରାଧା, ଗୋପାଳଙ୍କୁ ଝୁରୁଥାନ୍ତି। ଲୋକକଥା କୁହେ, ସମୟକ୍ରମେ ପ୍ରିୟ ଶ୍ରୀରାଧା ସେବକ ସାହିସ୍ଥିତ ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ କନ୍ୟା ଲକ୍ଷ୍ମୀ ରୂପରେ ଜନ୍ମଲାଭ କରନ୍ତି। ପ୍ରଭୁ ସାକ୍ଷୀଗୋପାଳ ନିତ୍ୟ ରାତ୍ରର ତୃତୀୟ ପ୍ରହରରେ ମନ୍ଦିର ଛାଡ଼ି ସେହି କନ୍ୟା ଲକ୍ଷ୍ମୀ ପାଖକୁ ଆସନ୍ତି। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ବକୁଳବନରେ ଲକ୍ଷ୍ମୀସହ କେଳି କରନ୍ତି । ଅଧିକାଂଶ ସମୟରେ ପ୍ରଭୁଙ୍କ ବଂଶୀ, ପିନ୍ଧା ବସନ, ଚୂଳ ବଡପଣ୍ଡାଙ୍କ ଘରୁ ମିଳେ। ବଡ଼ପଣ୍ଡା ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ସାକ୍ଷୀଗୋପାଳଙ୍କର ଶରଣ ପଶନ୍ତି। ଭକ୍ତବତ୍ସଳ ଭଗବାନ ଏହାର ନିରାକରଣ ପାଇଁ ଲକ୍ଷ୍ମୀଙ୍କ ପରି ଏକ ପ୍ରତିମା ନିର୍ମାଣ ପାଇଁ କୁହନ୍ତି। ପ୍ରଭୁଙ୍କ ସ୍ଵପ୍ନାଦେଶ ପରେ ମୂର୍ତ୍ତି ନିର୍ମାଣ ଆରମ୍ଭ ହୁଏ। ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ବଡ଼ପଣ୍ଡାଙ୍କ କନ୍ୟା ଲକ୍ଷ୍ମୀ ରୋଗରେ ଶଯ୍ୟାରେ ପଡନ୍ତି। ମୂର୍ତ୍ତୀ ଜୀବନ୍ୟାସ ପାଇଲା ପରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟେ।
କଥା କାଳକାଳକୁ ରୁହେ ଯେ, ରାଧାରାଣୀ ଲକ୍ଷ୍ମୀରୂପେ ଜନ୍ମ ନେଇଥିଲେ। ତେଣୁ ତାଙ୍କୁ ବର୍ଷକୁ ବାରମାସ ଏହି ପୀଠରେ ଉତ୍ତର ଭାରତୀୟ ବେଶରେ ସଜେଇ ଦିଆଯାଏ। ଚାଉଳ ନୁହେଁ ଗହମରେ ଭୋଗ ଲାଗେ। ସେଇଥିପାଇଁ ଏଠି ଶଙ୍ଖୁଡି ଭୋଗ ନାହିଁ। ଖାଲି ସୁଖିଲା ପ୍ରସାଦ। ମା’ ବୃନ୍ଦାବନ ବା ଉତ୍ତରଭାରତରୁ ଆସିଥିବାରୁ ବେଶ ସମ୍ପୁର୍ଣ୍ଣ ଉତ୍ତର ଭାରତୀୟଙ୍କ ଭଳି। ଏଣୁ ମା’ଙ୍କ ପାଦ ଦିଶେନି। ବର୍ଷକରେ ଗୋଟିଏ ଦିନ, ଏଇ ଅଁଳା ନବମୀରେ ମା’ ଓଡ଼ିଆଣୀ ବେଶ ହୁଅନ୍ତି। ଆଉ ତାଙ୍କ ପାଦ ଦର୍ଶନ ପାଇଁ ପ୍ରବଳ ଭିଡ ହୁଏ। ଏବେ ବୁଝିଲେ ତ କ’ଣ ପାଇଁ ହୁଏ ରାଧା ପାଦ ଦର୍ଶନ।