ସ୍ନେହ ଓ ପବିତ୍ରବନ୍ଧନର ପର୍ବ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା । ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ । ତେଣୁ ମାନବୀୟ ଲୀଳାଖେଳା କରୁଥିବା ବଡ଼ ଠାକୁର ଜଗା ବଳିଆ ବି ପିନ୍ଧିବେ ରାକ୍ଷୀ । ଦୁଇଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା ।
ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ପବିତ୍ର ରାକ୍ଷୀପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ । ବଡଭାଇ ବଳଭଦ୍ର, ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ଶ୍ରୀମନ୍ଦିର ପାଟରା ବିଷୋୟୀ ସେବାୟତ । ଚାରୋଟି ବଡ଼ବଡ଼ ରାକ୍ଷୀ ସହ ଗୁଆମାଳ ପ୍ରସ୍ତୁତ କରୁଛନ୍ତି ପାଟରା ସେବାୟତ ।
ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ।ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାଖୀ ପ୍ରସ୍ତୁତ ଚାଲିଛି । ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି । ସେହିଭଳି ଦୁଇ ଠାକୁରଙ୍କ ପାଇଁ ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ଚାଲିଛି । ବେଶ ନିଷ୍ଠାର ସହ ରାକ୍ଷୀ ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ପରମ୍ପରା ଅନୁଯାୟୀ ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି । ଏହାଛଡ଼ା ପାର୍ଶ୍ଵ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପାଟରା ବିଷୋୟୀ ସେବାୟତ ।
ଚିତା ଲାଗି ଅମାବାସ୍ୟାର ୧୦ ଦିନ ପରେ ଏହି ରାକ୍ଷୀ ତିଆରି ଆରମ୍ଭ ହୋଇଥାଏ । ଏଥିପାଇଁ ୧୦ରୁ ୧୨ ଦିନ ଆଗରୁ ପାଟରା ବିଶୋଇ ଓ ତାଙ୍କ ପରିବାର ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି । ମହାପ୍ରଭୁଙ୍କ ରାକ୍ଷୀ ନିମିତ୍ତ ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଆବଶ୍ୟକ ବାସୁଙ୍ଗା ପାଟ ଯୋଗାଇ ଦେଇଥାଏ । ପରେ ଏହି ପାଟକୁ ମସୃଣ କରାଯାଇ ହଳଦିଆ, ନାଲି, ନେଳି ଓ ବାଇଗଣି, ଏପରି ଚାରିପ୍ରକାର ରଙ୍ଗ ଦିଆଯାଇଥାଏ । ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାକ୍ଷୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ । ତେବେ ଏହି ରାକ୍ଷୀ କୌଣସି ନିର୍ଦ୍ଧିଷ୍ଟ ମାପ ନଥାଏ ବୋଲି କୁହାଯାଏ । ଶ୍ରୀମନ୍ଦିରରେ ପୂଜା ପାଉଥିବା ନବଗ୍ରହ ମୂର୍ତ୍ତି ଓ ପାର୍ଶ୍ଵଦେବଙ୍କୁ ବାନ୍ଧିବା ପାଇଁ ମଧ୍ୟ ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ । ରାକ୍ଷୀପୂର୍ଣ୍ଣିମା ସହ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ ଥିବାରୁ ଗୁରୁବାର ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାନୀତି ମଧ୍ୟ ଅନୁଷ୍ଠିତ ହେବ ।
ଅଧିକ ପଢନ୍ତୁ;- ସେବାୟତଙ୍କ ବିବାଦରୁ ନୀତିରେ ବିଭ୍ରାଟ : ଉପାସରେ ମହାପ୍ରଭୁ ଲିଙ୍ଗରାଜ