ବର୍ଷର ପ୍ରଥମ ଏକାଦଶୀ ସଫଳା ଏକାଦଶୀ । ପୌଷ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ କୁହାଯାଏ। ଏହିଦିନ ଭଗବାନ ବିଷ୍ଣୁଙ୍କୁ ‘ନାରାୟଣ’ ରୂପରେ ପୂଜା କରାଯାଇଥାଏ। ଯେପରି ନାଗମାନଙ୍କ ମଧ୍ୟରେ ଶେଷନାଗ, ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ ଓ ଦେବତାମାନଙ୍କ ମଧ୍ୟରେ ଶ୍ରୀବିଷ୍ଣୁ, ଠିକ୍ ସେହିପରି ବ୍ରତମାନଙ୍କ ମଧ୍ୟରେ ଏକାଦଶୀ ତିଥି ଶ୍ରେଷ୍ଠ। ସେ ମଧ୍ୟରେ ସଫଳା ଏକାଦଶୀ ସର୍ବଶ୍ରେଷ୍ଠ। ଏହି ଏକାଦଶୀ ବ୍ରତ କରିଲେ ମନୁଷ୍ୟ ସର୍ବୋତ ଭାବରେ ସଫଳ ହୋଇଥାଏ । ଜୀବନକାଳରେ ଧନଧାନ୍ୟ ଭୋଗ କରି ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତ ହୁଏ ।
ଶାସ୍ତ୍ରରେ ଏକାଦଶୀ ବ୍ରତର ନିୟମ ରହିଛି। ଏକାଦଶୀ ଦିନ କିଛି ବିଶେଷ କାର୍ଯ୍ୟ କରିବା ଉଚିତ ନୁହେଁ। ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ୫ ହଜାର ବର୍ଷ ତପ କଲେ ଯେଉଁ ଫଳ ପ୍ରାପ୍ତ ହୁଏ ତାହା ସଫଳା ଏକାଦଶୀ ବ୍ରତ ପାଳନ କଲେ ପ୍ରାପ୍ତ ହୋଇଥାଏ। ଏହି ଦିନ ଉଜାଗର ଓ ଉପବାସ ରହି ନଡ଼ିଆ, କଦଳୀ, ଅଁଳା ଆଦି ଫଳମୂଳ ସହିତ ଧୂପ ଦୀପ ଦେଇ ନାରାୟଣଙ୍କୁ ପୂଜା କରାଯାଏ। ରାତି ସାରା ଉଜାଗର ରହି ଦୀପ ଦାନ କରାଯାଏ। ପରଦିନ ପାରାୟଣ ପରେ କେବଳ ଫଳ ପ୍ରସାଦ ଗ୍ରହଣ କରାଯାଏ।
ଏହି ଏକାଦଶୀ ସଂପର୍କରେ ଏକ ସୁନ୍ଦର କଥାର ବର୍ଣ୍ଣନା ରହିଛି। ଚମ୍ପାବତୀ ନଗରୀର ରାଜା, ରାଜର୍ଷି ମହିଷ୍ମତୀଙ୍କର ପୁତ୍ର ଲୁମ୍ବକ ଦୁରାଚାରୀ ହେବାରୁ, ରାଜା ତାଙ୍କୁ ରାଜ୍ୟରୁ ବାହାର କରି ଦେଇଥିଲେ। ସେ ଜଙ୍ଗଲରେ ରହି, ଫଳ, ମୂଳ ଓ ପଶୁପକ୍ଷୀଙ୍କର ମାଂସ ଖାଇ ଏକ ପୁରୁଣା ଅଶ୍ୱତ୍ଥ ବୃକ୍ଷ ତଳେ ବାସ କରୁଥିଲେ। ଥରେ ଶୀତଦିନରେ ପ୍ରବଳ ଶୀତ ଓ ଖାଦ୍ୟଭାବରୁ ସାରା ରାତି କାତର ହୋଇ ସେ ନିଜର ସମସ୍ତ ପାପକର୍ମ ନିମିତ୍ତ ଅନୁତାପ କରୁ କରୁ ଭଗବାନ ବିଷ୍ଣୁଙ୍କ ନାମ ଉଚ୍ଚାରଣ କରି ନିଜର ପାପ ନିମିତ୍ତ ତାଙ୍କୁ କ୍ଷମା କରି ଦେବାକୁ ପ୍ରାର୍ଥନା କଲେ। ରାତି ଶେଷ ହେଲା ବେଳକୁ, ସେହିପରି ଜପ କରୁ କରୁ, ପ୍ରବଳ ଶୀତରେ ତାଙ୍କର ଚେତନା ଲୋପ ପାଇଗଲା। ଚେତନା ଫେରିବା ବେଳକୁ ଦ୍ୱିପ୍ରହର ହୋଇ ଯାଇଥିଲା। ଦୁର୍ବଳ ପାଦରେ ଉଠି, କିଛି ଫଳ ସଂଗ୍ରହ କରି, ସେ ସେହି ଫଳକୁ ଶ୍ରୀନାରାୟଣଙ୍କୁ ସମର୍ପଣ କରି ଭୋଜନ କଲେ। ସେ ଦିନଟି ଥିଲା ପୌଷ କୃଷ୍ଣ ଏକାଦଶୀ। ତାଙ୍କର ଅଜାଣତରେ ଏହି ଏକାଦଶୀ ବ୍ରତ ପାଳନ କରିଥିବାରୁ ତାଙ୍କର ହୃଦୟ ପରିବର୍ତ୍ତନ ହେଲା ଏବଂ ସେ ପବିତ୍ର ଜୀବନଯାପନ କଲେ। ରାଜା ତାହା ଜାଣି ପୁତ୍ରକୁ ରାଜ୍ୟକୁ ଫେରାଇନେଲେ। ଲୁମ୍ବକ ରାଜା ହୋଇ, ରାଜସୁଖ ଭୋଗକରି, ବୈକୁଣ୍ଠପ୍ରାପ୍ତ ହେଲେ।
ଏକାଦଶୀ ଦିନ ଦାନ କରିବା ଉଚିତ । ଏକାଦଶୀ ଦିନ ଯଦି ସମ୍ଭବ ଗଙ୍ଗା ସ୍ନାନ କରିବା ଉଚିତ । ବିବାହ ସମ୍ବନ୍ଧିତ ବାଧା ଦୂର କରିବାକୁ ଏକାଦଶୀ ଦିନ କେଶର, କଦଳୀ କିମ୍ବା ହଳଦୀ ଦାନ କରିବା ଉଚିତ । ଏକାଦଶୀ ଉପବାସ ରଖିଲେ ଧନ, ମନ-ସମ୍ମାନ ଓ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ। ଏହାସହ ମନୋବାଞ୍ଚିତ ଫଳ ମଧ୍ୟ ମିଳିଥାଏ । ଏକାଦଶୀ ବ୍ରତ ପାଳନ କଲେ ପୂର୍ବଜଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।