ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଶନିବାର ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହା ପରେ ସୋମବାର ପାକିସ୍ତାନ ଏବଂ ଭାରତର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଛି। ବୈଠକରେ ଜେନେରାଲ କାଶିଫ ଅବଦୁଲ୍ଲା ଏବଂ ଭାରତୀୟ ପ୍ରତିପକ୍ଷ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ହଟଲାଇନ୍ରେ ପରସ୍ପର ସହିତ କଥା ହୋଇଛନ୍ତି।
ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଉଭୟ ପକ୍ଷରୁ ଗୋଟିଏ ବି ଗୁଳି ଚଳାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ପରସ୍ପର ବିରୁଦ୍ଧରେ କୌଣସି ଆକ୍ରମଣାତ୍ମକ ଏବଂ ଶତ୍ରୁତାପୂର୍ଣ୍ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ସଂଖ୍ୟା ହ୍ରାସ କରିବା ପାଇଁ ଉଭୟ ପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମଧ୍ୟ ସହମତି ପ୍ରକାଶ ପାଇଛି । ଶନିବାର ଅସ୍ତ୍ରବିରତି ଘୋଷଣା ପରେ ସ୍ଥଳ, ବାୟୁ ଏବଂ ସମୁଦ୍ରରେ ସମସ୍ତ ପ୍ରକାରର ଗୁଳିମାଡ଼ ଏବଂ ସାମରିକ କାର୍ୟ୍ୟାନୁଷ୍ଠାନ ତୁରନ୍ତ ବନ୍ଦ କରିବା ପାଇଁ ଚୁକ୍ତିନାମା ଘୋଷଣା ହୋଇଥିଲା । ଏହା ପରେ ସୋମବାର ଦୁଇ ଦେଶର ଡିଜିଏମଓ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି ।
ସେନା ଅନୁଯାୟୀ, ଉଭୟ ପକ୍ଷ ଭାରତ ଏବଂ ପାକିସ୍ତାନ, ସୀମା ଏବଂ ଆଗୁଆ ଅଞ୍ଚଳରୁ ସୈନ୍ୟ ସଂଖ୍ୟା ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉପରେ ସହମତ ହୋଇଛନ୍ତ୍ି। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉପରେ ଆଲୋଚନା କରାଯାଇଥିଲା।ପାକିସ୍ତାନ ଡିଜିଏମଓ କହିଛନ୍ତି ଯେ, ବିବାଦକୁ ଆଗକୁ ବଢାଯିବ ନାହିଁ । ସୀମାରେ ଅସ୍ତ୍ରବିରତିର ଉଲ୍ଲଂଘନ କରାଯିବ ନାହିଁ । ନିୟନ୍ତ୍ରଣ ରେଖାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ୨୦୨୧ ମସିହାରେ ଭାରତ-ପାକିସ୍ତାନ ଡିଜିଏମଓଙ୍କ ଦ୍ୱାରା ଏକ ନୂତନ ଅସ୍ତ୍ରବିରତି ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।