ନୂଆଦିଲ୍ଲୀ: ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ତିନୋଟି ବିଧେୟକ ଆଗତ କରିଛନ୍ତି । ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ପୁଣି ଥରେ ଜାତି ଓ ଧର୍ମକୁ ନେଇ ରାଜନୀତି କରିଛନ୍ତି । ମହିଳା ସଂରକ୍ଷଣ ବିଲରେ ପଛୁଆ ବର୍ଗ ଏବଂ ମୁସଲିମ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ରଖିବାକୁ ଦାବି କରିଛନ୍ତି । ଯାହାର ଜବାବରେ ଅଖିଳେଶଙ୍କୁ ଧୋଇ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସପା ଚାହିଁଲେ ତାର ସମସ୍ତ ଆସନ ମୁସଲିମ ମହିଳାଙ୍କୁ ଦେଇ ଦେଉ, ଆମର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଶାହ ।
ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ବିଲ୍ ଉପରେ ଆଜି ଗୃହରେ ଜୋରଦାର ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେଇ ସପା ସାଂସଦ ଅଖିଳେଶ ଯାଦବ ସରକାରଙ୍କ ଉପରେ ପ୍ରଶ୍ନ ବାଣ ଛାଡ଼ିଛନ୍ତି । ଓବିସି ଓ ମୁସଲିମ ମହିଳାଙ୍କ ପାଇଁ ଅଲଗା ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।
ଅଖିଳେଶଙ୍କ ଦାବିକୁ ଅସାମ୍ବିଧାନିକ କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଭାରତୀୟ ସମ୍ବିଧାନରେ ଧର୍ମ ଆଧାରରେ ସଂରକ୍ଷଣ ହୁଏ ନାହିଁ, ଏହା ସମ୍ବିଧାନ ବିରୋଧୀ ଦାବି ଅଟେ । ଯାହାକୁ ସରକାର ମଧ୍ୟ କେବେ ଗ୍ରହଣ କରିପାରିବେ ନାହିଁ । ଯାହାର ଜବାବରେ ଅଖିଳେଶ କହିଥିଲେ ଏହା ଅସାମ୍ବିଧାନିକ କିପରି ହେଲା ? କ’ଣ ମୁସଲିମ ମହିଳାଙ୍କୁ ମହିଳା ବୋଲି ଗ୍ରହଣ କରାଯିବ ନାହିଁ ? ଏହା ଉପରେ ଶାହ କଡ଼ା ପ୍ରତିକ୍ରିୟା ରଖି କହିଥିଲେ ଯେ ଯଦି ସମାଜବାଦୀ ପାର୍ଟି ଚାହିଁବ ତାର ସମସ୍ତ ଟିକେଟ୍ ମୁସଲିମ ମହିଳାଙ୍କୁ ଦେଇ ପାରିବ, ଏହା ଉପରେ ଆମର କୌଣସି ଆପତ୍ତି ନାହିଁ ।
ଅଖିଳେଶ ଆହୁରି କହିଛନ୍ତି ସରକାର ଜାଣିଶୁଣି ବିଲକୁ ତରବରିଆ ଭାବେ ପାରିତ କରିବାକୁ ଚେଷ୍ଟା କରୁଛନ୍ତି । ସରକାର ଜାଣିଛନ୍ତି ଜନଗଣନା ରିପୋର୍ଟ ଆସିବା କ୍ଷଣି ଲୋକେ ସଂରକ୍ଷଣ ମାଗିବେ । ଓବିସି ଓ ଦଳିତ ବର୍ଗର ଲୋକେ ଭିନ୍ନ ସଂରକ୍ଷଣ ଦାବି କରିବେ । ସେହିପରି ସପାର ଆଉ ଜଣେ ବରିଷ୍ଠ ସାଂସଦ ଧର୍ମେନ୍ଦ୍ର ଯାଦବ ମଧ୍ୟ ସମାନ ପ୍ରଶ୍ନ ଉଠାଇଥିଲେ ।