ନୂଆଦିଲ୍ଲୀ: ଯୌନ ଶୋଷଣ ମାମଲାରେ ଦେଶର ପ୍ରତିଷ୍ଠିତ କମ୍ପାନୀ ଟିସିଏସ୍ ଫସିଥିବାବେଳେ ସେପଟେ ପିୟୁଷ ବଂଶଲଙ୍କ ଲେନ୍ସକାର୍ଟ (Lenskart) ମଧ୍ୟ ବିବାଦ ଘେରକୁ ଆସିଛି । ଲେନ୍ସକାର୍ଟର ଡ୍ରେସ୍ କୋଡ୍ ଉପରେ ଉଠିଛି ପ୍ରଶ୍ନ । ହିଜାବକୁ ଅନୁମତି ଥିବାବେଳେ ସିନ୍ଦୂର ଏବଂ ବିନ୍ଦିକୁ କାହିଁକି ଅନୁମତି ଦିଆଯାଇ ନାହିଁ ବୋଲି ପିୟୁଷଙ୍କୁ ପ୍ରଶ୍ନ କରିଛନ୍ତି ଜଣେ ମହିଳା ।
ଶୈଫାଳୀ ବୈଦ୍ୟା ନାମରେ ଜଣେ ମହିଳା ପିୟୁଷଙ୍କୁ ଟୁଇଟ୍ କରି ଲେନ୍ସକାର୍ଟ ଏକାଡେମୀରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଡ୍ରେସ୍ କୋଡ୍ ଉପରେ ପ୍ରଶ୍ନ କରିଛନ୍ତି । ଏକ ଫଟୋରେ ଦେଖାଯାଇଛି କମ୍ପାନୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ରଖିଛି । ମୁସଲିମ ମହିଳାମାନେ ଅଧା କଭର୍ କରି ରଖିଥିବା ହିଜାବ ପିନ୍ଧି ଆସି ପାରିବେ । କମ୍ପାନୀର ଲୋଗୋ ଭଲ ଭାବେ ଦିଶୁଥିବା ଉଚିତ୍ ।
କିନ୍ତୁ କୌଣସି ରଙ୍ଗୀନ ପଥର କାମ ହୋଇଥିବା ମୁଦି ପିନ୍ଧିପାରିବେ ନାହିଁ । ସେହିପରି ବିନ୍ଦି କିମ୍ବା କ୍ଲଚର୍ ଲଗାଇପାରିବେ ନାହିଁ । ହାତରେ କୌଣସି ଧାର୍ମିକ ସୂତା ବାନ୍ଧି ପାରିବେ ନାହିଁ । ସେହିପରି ଯଦି କେହି ସିନ୍ଦୂର ପିନ୍ଧିବେ ତାହା ହେଲେ ସେଇଟା ଅଳ୍ପ ମାତ୍ରାରେ ରହିବା ଉଚିତ୍ । କପାଳରେ ସିନ୍ଦୂର ଲଗାଇପାରିବେ ନାହିଁ । ତେବେ ଲେନ୍ସକାର୍ଟ କଣ ଗୋଟେ ଏମ୍ (ମୁସଲିମ୍) କମ୍ପାନୀ ବୋଲି ପ୍ରଶ୍ନ କରିଛନ୍ତି ।
କମ୍ପାନୀ ପ୍ରତିଷ୍ଠାତା ପିୟୂଷ ବଂଶଲ୍ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଏହି ଡ୍ରେସ୍ କୋଡ୍ କମ୍ପାନୀ ନିର୍ଦ୍ଦେଶାବଳୀରେ ନାହିଁ । କମ୍ପାନୀ ନିୟମରେ ବିନ୍ଦି ଏବଂ ତିଳକ ସମେତ କୌଣସି ପ୍ରକାରର ଧାର୍ମିକ ଅଭିବ୍ୟକ୍ତି ଉପରେ କୌଣସି ପ୍ରତିବନ୍ଧକ ନାହିଁ ଏବଂ ନିୟମିତ ଭାବରେ ଆମର ନିର୍ଦ୍ଦେଶାବଳୀ ସମୀକ୍ଷା କରାଯାଉଛି ।
କମ୍ପାନୀର ଡ୍ରେସ୍ କୋଡ୍ ନିୟମ ବର୍ଷ ବର୍ଷ ଧରି ବିକଶିତ ହୋଇଛି ଏବଂ କମ୍ପାନୀ ଆଜି ଯାହା ଅଛି ତାହା ପୁରୁଣା ନିୟମ ଆଧାରରେ କୁହାଯାଇପାରିବ ନାହିଁ । ଏହି ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଏବଂ ଚିନ୍ତା ପାଇଁ ସେ କ୍ଷମା ପ୍ରାର୍ଥନା କରୁଛୁ ।
ଶେଷରେ ପିୟୁଷ କହିଛନ୍ତି ଯେ ଲେନ୍ସକାର୍ଟ ଭାରତରେ, ଭାରତୀୟମାନଙ୍କ ଦ୍ୱାରା, ଭାରତୀୟମାନଙ୍କ ପାଇଁ ନିର୍ମିତ ହୋଇଥିଲା। ଆମର ଲୋକମାନେ ବହନ କରୁଥିବା ପ୍ରତ୍ୟେକ ପ୍ରତୀକ ଏବଂ ପ୍ରତ୍ୟେକ ପରମ୍ପରା ହେଉଛି ଏକ କମ୍ପାନୀ ଭାବରେ ଆମେ କିଏ ତାହା । ମୁଁ ଏହାକୁ କେବେବି ଆପତ୍ତି କରିବାକୁ ଦେବି ନାହିଁ।