ନୂଆଦିଲ୍ଲୀ: ମହିଳା ସଂରକ୍ଷଣରେ ସଂଶୋଧନ ବିଧେୟକୁ ନେଇ ଦକ୍ଷିଣ ବନାମ ଉତ୍ତରର ବିତର୍କ ଜୋର ଧରିଛି । ତାମିଲନାଡୁ, କେରଳ, କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ସୀମା ନିର୍ଦ୍ଧାରଣକୁ ନେଇ ଘୋର ଆପତ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଦକ୍ଷିଣ ଭାରତର ସମସ୍ତ ରାଜ୍ୟ ସରକାର ଓ ବିରୋଧୀ ଦଳ ଅସନ୍ତୋଷ ଜାହିର କରିବା ସହ ଏହାକୁ ପ୍ରବଳ ବିରୋଧ କରିଛନ୍ତି ।
ଏହି ଦଳମାନଙ୍କର କହିବା କଥା ଯଦି ଜନଗଣନା ଆଧାରରେ ସୀମା ନିର୍ଦ୍ଧାରଣ ହୁଏ ତେବେ ଦକ୍ଷିଣ ଭାରତର ସିଟ୍ କମିଯିବ । ଏମିତି ହେଲେ ଏହି ସବୁ ରାଜ୍ୟଗୁଡିକୁ ଜନସଂଖ୍ୟା ନିୟନ୍ତ୍ରଣ ନୀତି ପାଳନର ସଜା ଭୋଗିବାକୁ ପଡିବ । ଏହା ଉପରେ ସରକାର ସମସ୍ତ ଚିନ୍ତା ଦୂର କରିବାକୁ ଉଦ୍ୟମ କରିଛନ୍ତି । ସଂସଦରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଧେୟକୁ ନେଇ କହିଛନ୍ତି ଯେ, କୌଣସି ବି ରାଜ୍ୟ ସହିତ ଅନ୍ୟାୟ କରାଯିବ ନାହିଁ ।
ସେ କହିଛନ୍ତି, ଲୋକସଭାର ମୋଟ୍ ସିଟ୍ ସଂଖ୍ୟା ୮୧୫ ହେବ ଏବଂ ମହିଳାଙ୍କ ପାଇଁ ୨୭୨ ଆସନ ଅର୍ଥାତ ଏକ ତୃତୀୟାଂଶ ସିଟ୍ ସଂରକ୍ଷିତ ରହିବ । ଏହି ପରି ସବୁ ରାଜ୍ୟରେ ସିଟରେ ୫୦ ପ୍ରତିଶତ ବୃଦ୍ଧି ଘଟିବ । ସେ କହିଛନ୍ତି କୌଣସି ବି ରାଜ୍ୟର ପ୍ରତିନିଧିତ୍ୱ କମିବ ନାହିଁ ଏବଂ ପୂର୍ବ ପରି ଅନୁପାତ ହିଁ କାଏମ ରହିବ । ଏହିପରି ଭାବେ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ରାଜ୍ୟର ଶକ୍ତି ପୂର୍ବବତ୍ତ ବଳବତ୍ତର ରହିବ । ସବୁ ରାଜ୍ୟକୁ ସୀମା ନିର୍ଦ୍ଧାରଣ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ. ଏହା ମଧ୍ୟରେ ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ନେତା ୱାଇଏସଆର କଂଗ୍ରେସ ସମର୍ଥନ ଦେବ ବୋଲି କହିଛି ।
ୱାଇଏସଆର କଂଗ୍ରେସ କହିଛି ଯେ, ଆମେ ସରକାରଙ୍କଠୁ ସୀମା ନିର୍ଦ୍ଧାରଣ ନେଇ ଲିଖିତ ସୂଚନା ମାଗିଛୁ । ଯଦି ସିଧାସଳଖ ପ୍ରତି ରାଜ୍ୟର ସିଟ୍ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ଘଟେ ତେବେ ଆମର କୌଣସି ଆପତ୍ତି ନାହିଁ । ଆମେ ଏହି ବିଧେୟକର ସମର୍ଥନ କରିବୁ । କର୍ଣ୍ଣାଟକର ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି, ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ସୀମା ନିର୍ଦ୍ଧାରଣରେ କୌଣସି ରାଜ୍ୟର କ୍ଷତି ଘଟିବ ନାହିଁ ।
ସେ କହିଛନ୍ତି, ଦକ୍ଷିଣ ଭାରତର ରାଜ୍ୟଗୁଡିକୁ ଭ୍ରମିତ କରାଯାଉଛି । ମାତ୍ର କାହାର କୌଣସି କ୍ଷତି ଘଟିବ ନାହିଁ । କୌଣସି ବି ରାଜ୍ୟ ପାଇଁ ସିଟ୍ ଅନୁପାତ ପୂର୍ବପରି ବଜାୟ ରହିବ ଏବଂ ସିଧାସଳଖ ୫୦ ପ୍ରତିଶତ ବୃଦ୍ଧି କରାଯିବ ।