ନୂଆଦିଲ୍ଲୀ: ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଗୁରୁବାର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ସ୍ପାଇସଜେଟର ଏକ ବିମାନ ଏବଂ ଆକାସା ଏୟାର ବିମାନ ସହିତ ଧକ୍କା ହୋଇଛି ।
ଆକାସା ଏୟାରର ଜଣେ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୨:୦୦ ରୁ ୨:୧୫ ସମୟରେ, ଦିଲ୍ଲୀରୁ ହାଇଦ୍ରାବାଦ ଯିବାକୁ ଆକାସା ଏୟାର ବିମାନ (QP 1406) ରନୱେରେ ଛିଡ଼ା ହୋଇଥିଲା । ସେପଟେ ସ୍ପାଇସ୍ ଜେଟ୍ ବିମାନ (B737-700) ମୋଡ଼ ବଦଳାଉଥିଲା । ଏହି ସମୟରେ ଉଭୟ ବିମାନର ଡେଣା ଘଷି ହୋଯାଇଥିଲା । ଏହି ଧକ୍କା ଅତ୍ୟନ୍ତ ସାମାନ୍ୟ ଥିବାରୁ ଉଭୟ ବିମାନର ସାମାନ୍ୟ କ୍ଷତି ହୋଇଥିଲା। ତେବେ ଉଭୟ ବିମାନରୁ ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା ।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଘଟଣା ପରେ ତୁରନ୍ତ ସୁରକ୍ଷା ପ୍ରୋଟୋକଲ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଉଭୟ ବିମାନର ଯାଞ୍ଚ ଆରମ୍ଭ ହୋଇଛି। ବିମାନଗୁଡ଼ିକର ବୈଷୟିକ ଯାଞ୍ଚ ପାଇଁ ରଖାଯାଇଛି । ଉଭୟର ଡେଣା କ୍ଷତିଗ୍ରସ୍ତ ହୋଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସମନ୍ୱୟର ଅଭାବ ଯୋଗୁଁ ଏଭଳି ହୋଇଛି । ତଥାପି ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।