କଣ ଚୀନଠୁ ଦୂରେଇବାକୁ ଚାହୁଁଛି ଇମ୍ରାନ ସରକାର, କହିଲା ଚୀନ ସହିତ ସିପିଇସି ଡିଲ୍ ପାକିସ୍ତାନ ପାଇଁ ଅନୁଚିତ
Khabar Odisha:cpec-with-china-unfair-to-pak-says-imran-khan-government-report
ନୂଆଦିଲ୍ଲୀ, ସେପ୍ଟେମ୍ବର୧୦(ଖବର ଓଡ଼ିଶା):

 ପିଓକେ ଦେଇ  ଗତି କରୁଥିବା ଚୀନ-ପାକ୍ ଆର୍ଥିକ କରିଡରକୁ ନେଇ ଚୀନର ଚାଲାକିକୁ  ପାକିସ୍ତାନ ବୋଧହୁଏ ବୁଝି ଗଲାଣି।  ପାକିସ୍ତାନର ନୂତନ ଇମ୍ରାନ ଖାନଙ୍କ ସରକାର ଚୀନ ସହିତ ସିପିଇସି ଡିଲକୁ ଅନୁଚିତ୍ ଦର୍ଶାଇଛନ୍ତି।  ୟୁକେର ପ୍ରମୁଖ ଖବରକାଗଜ ଫାଇନାନସିଆଲ  ଟାଇମ୍ସ ସୋମବାର ନିଜର ରିପୋର୍ଟରେ କହିଛି ଯେ ପାକିସ୍ତାନ ଏହି ଡିଲକୁ ‘ଅନଫେୟର’ କହିଛି କାରଣ ଚୀନ-ପାକ୍ ଆର୍ଥିକ କରିଡରକୁ ନେଇ ହୋଇଥିବା ଡିଲରେ ଚୀନ କମ୍ପାନୀକୁ ଜବରଦସ୍ତ ଫାଇଦା ହେଉଛି।  ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ୟୁକେ ଡେଲି ସୂତ୍ରରୁ ଏହି ଖବର ପ୍ରକାଶିତ କରିଛି।

ୟୁକେ ଡେଲି  ପାକ୍ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ ଇମ୍ରାନ ସରକାର ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସେଟିଭ(ବିଆରଆଇ)ରେ ନିଜ ଭୂମିକାର ସମୀକ୍ଷା କରିବ ଏବଂ ଏକ ଦଶକ ପୂର୍ବରୁ ହୋଇଥିବା ଏହି ଡିଲକୁ ପୁଣି ଥରେ ଲାଗୁ କରିବା ଉପରେ ବିଚାର କରିବ।  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ  ବାଣିଜ୍ୟ, ବୟନ, ଉଦ୍ୟୋଗ ଓ ଉତ୍ପାଦନ ଏବଂ ନିବେଶ ମାମଲାର ପରାମର୍ଶଦାତା ଅବଦୁଲ ରଜ୍ଜାକ ଦାଉଦ କହିଛନ୍ତି ଯେ ସିପିଇସି ଉପରେ ଚୀନ ସହିତ ଡିଲ କରି ପାକିସ୍ତାନର ପୂର୍ବ ସରକାର ବହୁତ ବଡ଼ ଭୁଲ କରିଛନ୍ତି। ପୂର୍ବ ସରକାର ଠିକ୍ ଭାବେ ଏହାର ସମୀକ୍ଷା କରି ନାହାନ୍ତି ଏବଂ ପାକିସ୍ତାନକୁ କେମିତି ଅଧିକରୁ ଅଧିକ  ଲାଭ ହେବ ଏହାକୁ ନେଇ ଡିଲ୍ କରି ନାହାନ୍ତି।

ଏହା ମଧ୍ୟରେ ସମାଚାର ଏଜେନ୍ସି ପିଟିଆଇ ନିଜର ରିପୋର୍ଟରେ କହିଛି ଯେ ଇମ୍ରାନ ଖାନ ରବିବାର କହିଛନ୍ତି ଚୀନ ହେଉଛି ପାକିସ୍ତାନର ବିଦେଶ ନୀତିର ଆଧାରଶୀଳା।  ଏହି ସମୟରେ ସେ ୫୦ ଅରବ ଡଲାରର ବିବାଦୀୟ ସିପିଇସି ପ୍ରକଳ୍ପ ଲାଗୁ କରିବାର ପ୍ରତିବଦ୍ଧତା ମଧ୍ୟ ଜଣାଇଛନ୍ତି। ଅନ୍ୟ ପଟେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଇମ୍ରାନ ଖାନଙ୍କୁ ସାକ୍ଷାତ କରି ନୂତନ ସରକାର ସହିତ ସମ୍ବନ୍ଧକୁ ମଜବୁତ କରିବା ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି। 

ମାତ୍ର ଇମ୍ରାନ ଖାନଙ୍କ ପରାମର୍ଶଦାତା ଦ୍ଵାରା ୟୁକେ ଡେଲିକୁ ଦେଇଥିବା ଭିନ୍ନ  ବୟାନରୁ ଏହା ପ୍ରତୀତ ହେଉଛି ଯେ ପାକିସ୍ତାନର ନୂତନ ସରକାରରେ ସିପିଇସିକୁ ନେଇ ଗମ୍ଭୀର ମାନସ ମନ୍ଥନ ଚାଲିଛି। ପାକ୍ ପିଏମଙ୍କ ପରାମର୍ଶଦାତା ଦାଉଦ କହିଛନ୍ତି ଯେ, ଚୀନୀ କମ୍ପାନୀକୁ ଟ୍ୟାକ୍ସଛାଡ଼ କରିବା ଦ୍ଵାରା ପାକିସ୍ତାନରେ ସେମାନଙ୍କୁ ଅନେକ ଫାଇଦା ମିଳୁଛି। ତେଣୁ ପାକିସ୍ତାନ ପ୍ରତି ଏହା ଅନୁଚିତ୍ ଅଟେ ଏବଂ ଏଥିରେ ପାକିସ୍ତାନ କମ୍ପାନୀର କ୍ଷତି ଘଟୁଛି। 

ସେ ଏହା ମଧ୍ୟ କହିଛନ୍ତି ଯେ, ଆମକୁ କିଛି ବର୍ଷ ପାଇଁ ଏହି ପ୍ରକଳ୍ପକୁ ସ୍ଥଗିତ କରିବା ଉଚିତ୍ ଯେଉଁଥିରେ ଏହାର ସମୀକ୍ଷା କରାଯାଇ ଆଗାମୀ କାର‌୍ୟ୍ୟକ୍ରମ ନିର୍ଦ୍ଧାରଣ କରାଯାଇ ପାରିବ। ଏଠାରେ କହି ରଖୁଛୁ ଯେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଖାନ୍ ସିପିଇସି ବିଷୟରେ ଅଧିକ କିଛି କହିନଥିଲେ। ତାଙ୍କର ସବୁଠୁ ବଡ଼ ଚିନ୍ତା ପାରଦର୍ଶିତା ଓ ସିପିଇସିରେ ଥିବା ଭ୍ରଷ୍ଟାଚାରକୁ ନେଇଥିଲା। 

  • Tags:

Subscribe

National International State Sports Entertainment