ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି । ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁରସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ ବିଦେଶ ଭୂମିରେ ଓଡ଼ିଶାର ସୌର୍ଯ୍ୟ, ସୌନ୍ଦର୍ଯ୍ୟ ଏବଂ ମାଧୂର୍ଯ୍ୟକୁ ପ୍ରଦର୍ଶନ କରାଯିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଉପଲକ୍ଷେ ଉତ୍ସବ ସ୍ଥଳ ଗ୍ରାସରୁଟସ କ୍ଲବ ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜ୍ଜାଯାଇ ଏହାକୁ ଏକ କ୍ଷୁଦ୍ର ଓଡ଼ିଶାର ସ୍ୱରୂପ ପ୍ରଦାନ କରାଯାଇଥିଲା । ସମାରୋହରେ ୩୦୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ, ସେମାନଙ୍କର ପରିବାରବର୍ଗଙ୍କ ସହିତ ଯୋଗ ଦେଇଥିବା ଦେଖାଦେଇଥିଲା । ଓଡ଼ିଶା ଦିବସ ପାଳନକୁ କେନ୍ଦ୍ର କରି ଉପସ୍ଥିତ ଆଗନ୍ତୁକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଏବଂ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶାର ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ଏହାପରେ ସମ୍ମାନୀତ ଅତିଥି ସିଙ୍ଗାପୁର ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡଃ ଶିଳ୍ପକ ଅମ୍ବୁଲେ ମଞ୍ଚ ଉପରେ ଶୋଭା ପାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ସାମ୍ନାରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଉଦଘାଟନ କରିଥିଲେ । ସିଙ୍ଗାପୁର ଓଡ଼ିଆ ସମାଜର ସଭାପତି ସୁବ୍ରତ ନାୟକ ଏବଂ ସମ୍ପାଦକ ହେମନ୍ତ ରାଉତ, ଡଃ ଅମ୍ବୁଲେଙ୍କୁ ଓଡ଼ିଶାର ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ସମାବେଶକୁ ସମ୍ବୋଧନ କରି ଡଃ ଅମ୍ବୁଲେ, ଓଡ଼ିଶାର ମହାନ ସାଂସ୍କୃତିକ ଐତିହ୍ୟକୁ ଭୁରୀଭୁରୀ ପ୍ରଶଂସା କରିଥିଲେ ।
ସିଙ୍ଗାପୁର ଓଡ଼ିଆ ସମାଜ, ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ବୈଭବକୁ ଆନ୍ତର୍ଜାତିକ ଦରବାରରେ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରୁଥିବା ଦର୍ଶାଇ ଡଃ ଅମ୍ବୁଲେ ସଂଗଠନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ ।