ରବିବାର ପୃଥିବୀର ନିକଟତର ହୋଇଛି ଡେଭିଲ ଧୂମକେତୁ ଭାବେ ପରିଚିତ ‘୧୨ପି/ପୋନ୍ସ-ବ୍ରୁକ୍ସ’(12P/Pons-Brooks) । ଦୀର୍ଘ ୭୧ ବର୍ଷ ପରେ ଘଟିଥିବା ଏହି ବିରଳ ସଂଯୋଗ ଭାରତୀୟ ତଥା ବିଶ୍ୱର ବୈଜ୍ଞାନିକମାନଙ୍କୁ ରୋମାଞ୍ଚିତ କରିଛି। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଏହି ଧୂମକେତୁଟି ମାର୍ଚ୍ଚ ପ୍ରଥମସପ୍ତାହରୁ ଏକ ଉଜ୍ଜ୍ୱଳ କ୍ଷୁଦ୍ର ବିନ୍ଦୁ ଭାବେ ଦୃଶ୍ୟମାନ ହେଉଥିଲା।
ଏହି ଧୁମ କେତୁର ଫଟୋ କେତେଜଣ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଏହାକୁ କ୍ୟାମେରାରେ ଉତ୍ତୋଳନ କରିଛନ୍ତି। ତେବେ ସୋମବାରଠାରୁ ଏହି ଧୂମକେତୁ ସୂର୍ଯ୍ୟଙ୍କ ନିକଟତମ ପଏଣ୍ଟରୁ ଏହାର ଯାତ୍ରା ଆରମ୍ଭ କରିବ ଓ ସବୁଠୁ ଉଜ୍ଜ୍ୱଳ ଦେଖାଯିବ। ଜୁନ୍ରେ ଏହା ୨୩୨ ନିୟୁତ କିଲୋମିଟର ଦୂରତାରେ ପହଞ୍ଚତ୍ବା ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଭାଗକୁ ଝାପ୍ସା ଦୃଶ୍ୟ ହେବ ବୋଲି ମୁମ୍ବାଇର ଆମାଟିଉର ଆଷ୍ଟ୍ରୋନମର୍ସ ଆସୋସିଏଶନର ପ୍ରତିଷ୍ଠାତା ସମ୍ପାଦକ ସୂଚନା ଦେଇଛନ୍ତି ।
ବୈଜ୍ଞାନିକଙ୍କ ମତରେ ଡେଭିଲ ଧୂମକେତୁର ଉଚ୍ଚତା ଏଭରେଷ୍ଟ ଶୃଙ୍ଗର ଉଚ୍ଚତା (୮.୮୪ କିଲୋମିଟର)ଠାରୁ ଅଧିକ। ଏଥିରେ ଥିବା ଶିଳା ଓ ବରଫର ମୋଟ ଉଚ୍ଚତା ପ୍ରାୟ ୧୭ କିଲୋମିଟର, ଯାହାକି ହିମାଳୟ ଉଚ୍ଚତାର ଦୁଇଗୁଣରୁ ଅଧିକ ହେବ । ଧୂମକେତୁର ବ୍ୟାସ ୩୦ କିଲୋମିଟର ହୋଇଥିବାବେଳେ ଏହାର ଘଣ୍ଟାପ୍ରତି ବେଗ ୨୬,୦୦୦ କିଲୋମିଟର ବୋଲି ଆକଳନ କରାଯାଇଛି। ତେବେ ପୃଥିବୀ ଏହାର କୌଣସି ବିପଦ ନାହିଁ ।