ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ଆମ ସଂସ୍କୃତିର ଏକ ଆକର୍ଷଣୀୟ ଝଲକ ହେଉଛି ନୃତ୍ୟ । ସମସ୍ତଙ୍କ ମଧ୍ୟରେ ନୃତ୍ୟର ଝଲକ ଦେଖିବାକୁ ମିଳିଥାଏ । କେହି କେହି ଆନନ୍ଦିତ ହୋଇ ନୃତ୍ୟ କରନ୍ତି ତ ଆଉ କେହି ଭାବ ବିହ୍ଵଳ ହୋଇ ନୃତ୍ୟ କରିଥାନ୍ତି । ସିନେମାରୁ ଆରମ୍ଭ କରି ଉତ୍ସବ, ମହୋତ୍ସବ ସବୁ କିଛି ନୃତ୍ୟ ବିନା ଏପରିକି ଆଧ୍ୟାତ୍ମିକ ପରିବେଶ ମଧ୍ୟ ଅଧୁରା । ଆମ ଜୀବନକୁ ନୃତ୍ୟ ସକାରାତ୍ମକ ଭାବେ ପ୍ରଭାବିତ କରି ଆସିଛି । ନୃତ୍ୟକୁ ଗୁରୁତ୍ୱ ଦିଆଯାଇ ପ୍ରତିବର୍ଷ ଏପ୍ରିଲ ୨୯ ତାରିଖ ଦିନ ଅନ୍ତର୍ଜାତୀୟ ନୃତ୍ୟ ଦିବସ ପାଳନ କରାଯାଉଛି । ନୃତ୍ୟକୁ ଏକ ବୃତ୍ତିଗତ କଳା ଭାବେ ବିଶ୍ବ ସ୍ବୀକୃତି ଦେବା ଲାଗି ଏପରି ଦିବସ ପାଳନର ପରିକଳ୍ପନା କରାଯାଇଥିଲା।
ଆଜି ଆଧୁନିକ ବାଲେଟ୍ ନୃତ୍ୟ ସ୍ରଷ୍ଟା ଜିନ୍ ଜର୍ଜସ ନୋଭରେଙ୍କ ଜନ୍ମ ଦିବସ। ସେ ନୃତ୍ୟ ସ୍ରଷ୍ଟା ହୋଇଥିବାରୁ ତାଙ୍କ ଜନ୍ମ ଦିବସକୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ଭାବେ ପାଳନ କରାଯାଏ । ୧୭୨୭ ମସିହା ଏପ୍ରିଲ ୨୯ ତାରିଖରେ ଜିନ୍ ଜର୍ଜସ ନୋଭରେ ପ୍ୟାରିସ୍ରେ ଜନ୍ମ ଗ୍ରହଣ କରିଥିଲେ । ନୃତ୍ୟଧାରାର ପ୍ରଚାର ଓ ପ୍ରସାର ପାଇଁ ୟୁନେସ୍କୋ ସହଯୋଗରେ ଇଣ୍ଟରନ୍ୟାସନାଲ୍ ଥିଏଟର୍ ଇନ୍ଷ୍ଟିଚ୍ୟୁଟ ପକ୍ଷରୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ 1982 ମସିହା ଏପ୍ରିଲ୍ 29 ତାରିଖରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏପ୍ରିଲ ୨୯ ତାରିଖ ଦିନ ଏହି ଦିବସ ପାଳନ କରାଯାଉଛି।
ଦେଶ ବିଦେଶରେ ନୃତ୍ୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମନୋରଞ୍ଜନର ପ୍ରଥମ ବିକଳ୍ପ ନୃତ୍ୟକୁ କୁହାଯାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ସ୍ୱୟଂ ଭଗବାନ ମଧ୍ୟ ନୃତ୍ୟ କରିଥାନ୍ତି । କୁହାଯାଏ ଭାବର ଠାକୁର କାଳିଆ ସାଆନ୍ତ ଦେବଦାସୀ ନୃତ୍ୟ ଦେଖି ଶୋଇଥାନ୍ତି । ମହାପ୍ରଭୁଙ୍କ ଆଗରେ ଦେବଦାସୀମାନେ ଭକ୍ତି ଭାବର ସହ ସୁନ୍ଦର ଭାବରେ ନୃତ୍ୟ ପରିବେଶର କରିଥାନ୍ତି । ବର୍ତ୍ତମାନ ମଧ୍ୟ ଏହି ପାରମ୍ପରିକ ପ୍ରଥା ରହି ଆସିଛି । ଭାରତର କୋଣ ଅନୁକୋଣରେ ଅନେକ ଶାସ୍ତ୍ରୀୟ ଓ ଲୋକନୃତ୍ୟ ପ୍ରଚଳିତ। ଭାରତରେ ନୃତ୍ୟ ଇତିହାସ କେତେ ପ୍ରାଚୀନ ତାହା ପୁରାଣ ଶାସ୍ତ୍ରରୁ ସୂଚନା ମିଳିଥାଏ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଭଗବାନ ଶିବଙ୍କ ତାଣ୍ଡବ ନୃତ୍ୟ, ସ୍ବର୍ଗପୁରରେ ଦେବରାଜ ଇନ୍ଦ୍ରଙ୍କ ସମ୍ମୁଖରେ ଅପ୍ସରାମାନେ ନୃତ୍ୟ କରିଥାନ୍ତି ।
ଏହି ପରମ୍ପରା ପରେ ରାଜରାଜୁଡ଼ା ଶାସନ ସମୟରେ ଦେଖିବାକୁ ମିଳିଥିଲା । ରାଜାଙ୍କ ସାମ୍ନାରେ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରି ରାଜାଙ୍କ ମନମୁଗ୍ଧ କରିଥାନ୍ତି । ଭାରତର ଶାସ୍ତ୍ରୀୟ ନୃତ୍ୟରେ ସମସ୍ତ ଆବେଗ ଭାରି ରହିଥାଏ । ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସାରା ବିଶ୍ୱରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଆଦର ରହିଛି । ଯେଉଁ ନୃତ୍ୟଗୁଡିକରେ ଓଡ଼ିଶୀ, ଭାରତନାଟ୍ୟମ୍, କୁଚୁପୁଡ଼ି, ମୋହିନୀଅଟ୍ଟମ୍,ମଣିପୁରୀ, କଥାକଳି,ବିହୁ ଇତ୍ୟାଦି ରହିଛି । ଓଡ଼ିଶାରେ ମଧ୍ୟ ନୃତ୍ୟର ଅନେକ ଧାରା ରହିଥିଲା ବେଳେ ଓଡିଶୀ ନୃତ୍ୟ ସହ ସମ୍ବଲପୁରୀ ନୃତ୍ୟର ମଧ୍ୟ ଆଦର ରହିଛି।