ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ମାମଲାରେ ଗିରଫ ହୋଇଥିବା ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ତାଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ରିମାଣ୍ଡ ଅବୈଧ ଅଟେ । ରିମାଣ୍ଡ ଆବେଦନ ପରେ ଜଷ୍ଟିସ ବି.ଆର ଗାଭି ଏବଂ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ମାମଲାର ଶୁଣାଣି କରି ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସମ୍ପାଦନକ ଦିଲ୍ଲୀ ପୋଲିସର ଗିରଫକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ ।
ତେବେ ଦିଲ୍ଲୀ ପୋଲିସ ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଥିବାରୁ ଟ୍ରାଏଲ କୋର୍ଟ ଦ୍ୱାରା ସ୍ଥିର ହେବାକୁ ଥିବା ସର୍ତ୍ତ ଅନୁଯାୟୀ ପ୍ରବୀର ପୁରକାୟାସ୍ତାଙ୍କୁ ଜାମିନରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ବି.ଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ରିମାଣ୍ଡ କପି ପ୍ରଦାନ କରାଯାଇ ନାହିଁ, ଯାହା ଏହି ଗିରଫଦାରୀକୁ ବିକୃତ କରୁଛି । ସେଥିପାଇଁ ଗିରଫଦାଦୀକୁ ‘ଶୂନ୍ୟ ’ ବୋଲି ବିବେଚନା କରାଗଲା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଗତ ବର୍ଷ ପ୍ରବୀର ପୁରକାୟାସ୍ତା ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କୁ “ଭାରତର ସାର୍ବଭୌମତ୍ୱକୁ ଭଣ୍ଡୁର କରିବା” ତଥା ଦେଶ ପ୍ରତି ଅସନ୍ତୋଷ ସୃଷ୍ଟି କରିବା, ଆତଙ୍କବାଦ ନିରୋଧୀ ଅଭିଯୋଗରେ ଗିରଫ କରିଥିଲା । ଏଫ୍ଆଇଆର୍ ଅନୁଯାୟୀ, ଚୀନ୍ ସହିତ ସମ୍ପର୍କ ଥିବା ସଙ୍ଗଠନ ସହିତ ଯୋଗାଯୋଗ କରି ଚୀନ୍ର ପ୍ରଚାର ପ୍ରସାରଣ କରିବା ଲାଗି ଅର୍ଥ ଗ୍ରହଣ କରୁଥିବା ଅଭିଯୋଗରେ ‘ନ୍ୟୁଜ କ୍ଲିକ’ ଆତଙ୍କବାଦ ନିରୋଧୀ ଆଇନ ‘ୟୁଏପିଏ’ ତଦନ୍ତର ସମ୍ମୁଖୀନ ହୋଇଥିଲା । ‘ନ୍ୟୁଜ କ୍ଲିକ’ କୋଟି କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା ।