ନୂଆଦିଲ୍ଲୀ: ପାକିସ୍ତାନ ଅଧୀକୃତ କଶ୍ମୀର (ପିଓକେ)ରେ ଦେଖାଯାଇଥିବା ଉତ୍ତେଜନା ଥଣ୍ଡା ପଡ଼ୁନାହିଁ । ଏଠାରେ ବିଦ୍ୟୁତ ଓ ଅଟା ସହିତ ଅନ୍ୟ ଜରୁରୀ ସାମଗ୍ରୀର ଦରଦାମ ବଢ଼ି ଚାଲିଛି, ଯେଉଁଥି ପାଇଁ ଲୋକେ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ପିଓକେ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।
କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ପିଓକେରେ କିଛି ଦିନ ହେଲା ଉତ୍ତେଜନା ଜାରି ରହିଛି । ଏହାର ବିଶ୍ଲେଷଣ କରିବା ଏକ ଜଟିଳ ବ୍ୟାପର । କିନ୍ତୁ ମୁଁ ଭାବୁଛି ଯେ, ପିଓକେରେ ରହୁଥିବା ଲୋକେ ଜମ୍ମୁ କଶ୍ମୀରରେ ବସବାସ କରୁଥିବା ଲୋକଙ୍କ ସହିତ ନିଜ ଜୀବନକୁ ତୁଳନା କରୁଥିବେ । ସେମାନେ ଦେଖୁଥିବେ ଯେ, ଜମ୍ମୁ କଶ୍ମୀରର ଲୋକଙ୍କର ବିକାଶ ହେଉଛି । ସେମାନେ ଅନୁମାନ କରୁଥିବେ ଯେ, ତାଙ୍କର ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଉଛି । ତାଙ୍କର ସହିତ ଭେଦଭାବ ହେଉଛି । ସେମାନେ ଅନ୍ୟମାନଙ୍କର ଦ୍ୱାରା ଚାପଗ୍ରସ୍ତ ଅଛନ୍ତି ।
ପିଓକେ ସବୁବେଳେ ଭାରତର ଅଂଶବିଶେଷ ହୋଇ ରହିଛି । ଆଗକୁ ମଧ୍ୟ ରହିବ । ଯେତେବେଳ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟା ଯାଇ ନଥିଲା, ସେତେବେଳ ପର୍ଯ୍ୟନ୍ତ ପିଓକେ ନେଇ ଅଧିକ ଚର୍ଚ୍ଚା ହେଉନଥିଲା ବୋଲି ଜୟଶଙ୍କର କହିଛନ୍ତି । ସେ କହିଛନ୍ତି ଯେ, ୧୯୯୦ ଦଶକରେ ପଶ୍ଚାତ୍ୟ ଦେଶ ଆମ ଉପରେ ଚାପ ପକାଉଥିଲେ । ଏହା ପରେ ସଂସଦ ସର୍ବସମ୍ମତିରେ ପିଓକେକୁ ନେଇ ଏକ ପ୍ରସ୍ତାବ ଗୃହୀତ କରିଥିଲା ।
ସୂଚନାଯୋଗ୍ୟ, ପିଓକେରେ ଦରବୃଦ୍ଧିକୁ ନେଇ ଲୋକେ ପ୍ରଦର୍ଶନ କରୁଛନ୍ତି । ଏଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଲୋକେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି । ବିଗତ କିଛି ଦିନ ହେଲା ନିତ୍ୟ ବ୍ୟହବାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହୋଇଛି । ଟ୍ୟାକ୍ସ ବଢ଼ିବା କାରଣରୁ ସମାଜସେବୀ, ବ୍ୟବସାୟୀ ଓ ଆଇନଜୀବୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛନ୍ତି ।