ଲଣ୍ଡନ: ଲଣ୍ଡନରୁ ଆମେରିକାର ଚିକାଗୋ ଅଭିମୁଖେ ଯାତ୍ରା କରୁଥିବା ବ୍ରିଟିଶ ଏୟାରୱେନ୍ସର ଏକ ବିମାନକୁ ନେଇ ଏକ ବଡ଼ଧରଣର ଘଟଣା ସାମ୍ନାକୁ ଆସିଛି। ଆୟର୍ଲାଣ୍ଡ ଆକାଶରେ ଉଡ଼ାଣ ଭରୁଥିବା ବେଳେ ବିମାନରେ ହଠାତ୍ ଜରୁରୀକାଳୀନ ପରିସ୍ଥିତି ଦେଖାଯାଇଥିଲା। ଏହାପରେ ବିମାନଟି ମାତ୍ର କିଛି ସମୟ ପ୍ରାୟ ୨୮,୦୦୦ ଫୁଟ୍ ତଳକୁ ଖସି ଆସି ପୁଣି ଲଣ୍ଡନକୁ ଫେରି ଆସିଥିବା ବ୍ରିଟେନର ଗଣମାଧ୍ୟମଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ମୁତାବକ, ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ବାହାରିଥିବା ବ୍ରିଟିଶ ଏୟାରୱେନ୍ସର ଫ୍ଲାଇଟ୍ BA295 ଚିକାଗୋର ଓ'ହେୟାର ଅଭିମୁଖେ ଯାଉଥିଲା। ବୋଇଂ 777-200ER ମଡେଲର ଏହି ବିମାନଟି ହିଥ୍ରୋର ଟର୍ମିନାଲ ୫ରୁ ପ୍ରାୟ ଦିନ ୧୧:୫୦ ସମୟରେ ଉଡ଼ାଣ ଭରିଥିଲା। ଏହି ଯାତ୍ରା ପ୍ରାୟ ୮ ଘଣ୍ଟା ୪୦ ମିନିଟ୍ର ହେବାର ଥିଲା।
ଆକାଶରେ ହଠାତ୍ କ’ଣ ହୋଇଥିଲା ?
ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁଯାୟୀ, ବିମାନଟି ପ୍ରାୟ ୩୭,୦୦୦ ଫୁଟ୍ ଉଚ୍ଚତାରେ ଉଡ଼ାଣ କରୁଥିବା ବେଳେ ଆୟର୍ଲାଣ୍ଡ ଆକାଶରେ ହଠାତ୍ ଏଥିରେ ଜରୁରୀକାଳୀନ ସ୍ଥିତି ଉପୁଜିଥିଲା। ଏହା ପରେ ପାଇଲଟ୍ 'Squawk 7700' ଅର୍ଥାତ୍ ଅନ୍ତର୍ଜାତୀୟ ଜରୁରୀକାଳୀନ କୋଡ୍ ସତର୍କ ସୂଚନା ଜାରି କରିଥିଲେ। ବିମାନଟି ଅତି ଦ୍ରୁତ ଗତିରେ ତଳକୁ ଖସି ପ୍ରାୟ ୯,୦၀၀ ଫୁଟ୍ ଉଚ୍ଚତାକୁ ଚାଲିଆସିଥିଲା।
ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଚିକାଗୋ ଯାତ୍ରାକୁ ବାତିଲ କରାଯାଇ ବିମାନଟିକୁ ପୁଣି ଥରେ ଲଣ୍ଡନ ଅଭିମୁଖେ ମୋଡ଼ାଯାଇଥିଲା। ଫ୍ଲାଇଟ୍ ରାଡାର ୨୪ (Flightradar24) ତଥ୍ୟ ମୁତାବକ, ଉଡ଼ାଣ ଆରମ୍ଭ ହେବାର ପ୍ରାୟ ୪ ଘଣ୍ଟା ୪୭ ମିନିଟ୍ ପରେ ବିମାନଟି ସୁରକ୍ଷିତ ଭାବେ ପୁଣି ଥରେ ହିଥ୍ରୋ ବିମାନବନ୍ଦରରେ ଅବତରଣ କରିଥିଲା।
ଲଣ୍ଡନ ଫେରିବା ପୂର୍ବରୁ ବିମାନଟି ଏହାର ଇନ୍ଧନ ବା ତେଲ ପରିମାଣକୁ କମାଇବା ପାଇଁ ଆକାଶରେ କିଛି ସମୟ କାଟିଥିଲା। ଏଭଳି ଦୀର୍ଘ ଦୂରତା ବିଶିଷ୍ଟ ଯାତ୍ରାରେ ହଠାତ୍ ଫେରିବାକୁ ପଡ଼ିଲେ ଓଜନ ନିୟନ୍ତ୍ରଣ ପାଇଁ ଇନ୍ଧନ ହ୍ରାସ କରିବା ଏକ ମାନକ ପ୍ରକ୍ରିୟା ଅଟେ।
ତେବେ ବିମାନରେ କେଉଁ କାରଣରୁ ଏପରି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲା, ସେ ସମ୍ପର୍ଣ୍ଣ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବ୍ରିଟିଶ ଏୟାରୱେନ୍ସ ପକ୍ଷରୁ ମଧ୍ୟ ଏହି ଯାନ୍ତ୍ରିକ ତ୍ରୁଟି କିମ୍ବା ଘଟଣା ସମ୍ପର୍କରେ କୌଣସି ବିଧିବଦ୍ଧ ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ।