କେନ୍ଦ୍ରାପଡ଼ା: ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବହୁଚର୍ଚ୍ଚିତ ତିଖିରି ସରପଞ୍ଚ ଚାମେଲି ଓଝା ଏବଂ ମହାକାଳପଡ଼ା ବ୍ଲକ୍ ପ୍ରଶାସନ ମଧ୍ୟରେ ବିବାଦ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗର ଅନୁସନ୍ଧାନ ପାଇଁ ଜାତୀୟ ମାନବାଧିକାର କମିଶନ (NHRC)ର ଏକ ସ୍ୱତନ୍ତ୍ର ତିନିଜଣିଆ ପ୍ରତିନିଧି ଦଳ କେନ୍ଦ୍ରାପଡ଼ାରେ ଆସି ପହଞ୍ଚିଛନ୍ତି। ଏନଏଚଆରସିର ଏହି ଟିମ୍ ସୋମବାର ସନ୍ଧ୍ୟାରେ ଜିଲ୍ଲା ସର୍କିଟ୍ ହାଉସ୍ରେ ପହଞ୍ଚିଥିବା ନେଇ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ଏହି ତଦନ୍ତକାରୀ ଦଳ ସିଧାସଳଖ ମହାକାଳପଡ଼ା ବ୍ଲକ୍ କାର୍ଯ୍ୟାଳୟ ଏବଂ ମହାକାଳପଡ଼ା ଥାନାରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଏହାପରେ ଟିମ୍ର ସଦସ୍ୟମାନେ ସରପଞ୍ଚ ଚାମେଲି ଓଝାଙ୍କୁ ଭେଟି ତାଙ୍କ ପକ୍ଷ ଏବଂ ଅଭିଯୋଗ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୧ ତାରିଖ ଦିନ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର କରାଯିବା ସହିତ ମାରପିଟ୍ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନ୍ୟାୟ ଦାବି କରି ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ।
ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏନଏଚଆରସି ଟିମ୍ କେନ୍ଦ୍ରାପଡ଼ା ଗସ୍ତ କରିଥିବା ବେଳେ ବିବାଦରେ ସମ୍ପୃକ୍ତ ଥିବା ସମସ୍ତ ପକ୍ଷଙ୍କୁ ଭେଟି ପଚରାଉଚରା କରିବା ଏବଂ ଘଟଣାର ସତ୍ୟତା ଜାଣିବା ପାଇଁ ବ୍ୟାପକ ତଦନ୍ତ ପ୍ରକ୍ରିୟା ଜାରି ରଖିବେ।