ମସ୍କୋ: ରୁଷରେ ପ୍ଲେଗ୍ ରୋଗ ଆତଙ୍କ ଦେଖାଦେଇଛି । ସାଇବେରିଆ ଅନ୍ତର୍ଗତ ଇର୍କୁଟସ୍କ ଅଞ୍ଚଳରେ ଶେଲେଖୋଭ୍ (Shelekhov) ସ୍ଥିତ 'ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍'ରେ ଜଣେ ମହିଳା ଲ୍ୟାବ୍ ଟେକ୍ନିସିଆନ୍ଙ୍କ ପ୍ଲେଗ୍ ରୋଗରେ ମୃତ୍ୟୁ ପରେ ହାହାକାର ସୃଷ୍ଟି ହୋଇଛି । ମୃତକ ହେଲେ ୨୮ ବର୍ଷୀୟା ଡାରିଆ ଶିପିଲୋଭା । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅତିକମରେ ପାଞ୍ଚଟି ଡାକ୍ତରଖାନା ବନ୍ଦ କରିଦିଆଯାଇଥିବାବେଳେ ୨୦୦ରୁ ଅଧିକ ଲୋକଙ୍କୁ ସଂଘରୋଧରେ ରଖାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶିପିଲୋଭା ଡାକ୍ତରଖାନାର କର୍ମଚାରୀମାନଙ୍କୁ ଜଣାଇଥିଲେ ଯେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲବଶତଃ ତାଙ୍କ ଦ୍ୱାରା ଜୀବନ୍ତ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଯାଇଥିଲା । ଏହି ସମୟରେ ସେ 'ନ୍ୟୁମୋନିକ୍ ପ୍ଲେଗ୍' ଦ୍ୱାରା ସଂକ୍ରମିତ ହୋଇଥିଲେ।
ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ନିମୋନିଆ ଲକ୍ଷଣ ସହିତ ଡାରିଆ ଶିପିଲୋଭାଙ୍କୁ ଶେଲେଖୋଭ୍ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶିପିଲୋଭାଙ୍କ ସଂସ୍ପର୍ଶରେ ଆସିଥିବା ୨୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ସଂଘରୋଧରେ ରଖାଯାଇଛି । ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଇର୍କୁଟସ୍କ ଅଞ୍ଚଳରେ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି।
ଅକ୍ଟୋବର ୨ ତାରିଖରେ, ଇର୍କୁଟସ୍କ ଅଞ୍ଚଳର ଗଭର୍ଣ୍ଣର ଇଗୋର କୋବଜେଭ୍ କହିଛନ୍ତି ଯେ ଏହି ଅଞ୍ଚଳରେ ସଂକ୍ରମଣର ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଗଭର୍ଣ୍ଣର ଟେଲିଗ୍ରାମ ମାଧ୍ୟମରେ ଘୋଷଣା କରିଥିଲେ ଯେ ଜରୁରୀକାଳୀନ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ପାଇଁ 'ରୋସପୋଟ୍ରେବନାଡଜୋର୍'(Rospotrebnadzor), ଯାହାକି ଉପଭୋକ୍ତା ସୁରକ୍ଷା ତଦାରଖକାରୀ ସଂସ୍ଥାର ମୁଖ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଂସ୍ଥା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ କାର୍ଯ୍ୟକାରୀ କରୁଛି ।
ନ୍ୟୁମୋନିକ୍ ପ୍ଲେଗ୍ କାହିଁକି ବିପଦଜନକ?
ନ୍ୟୁମୋନିକ୍ ପ୍ଲେଗ୍ ଫୁସଫୁସକୁ ପ୍ରଭାବିତ କରେ ଏବଂ ଏହା ଅତ୍ୟନ୍ତ ସଂକ୍ରାମକ। ଏହା କାଶ କିମ୍ବା ଛିଙ୍କିବା ଦ୍ୱାରା ନିର୍ଗତ ବୁନ୍ଦା ମାଧ୍ୟମରେ ବ୍ୟକ୍ତିଠାରୁ ବ୍ୟକ୍ତିକୁ ବ୍ୟାପିପାରେ। ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଟିବାୟୋଟିକ୍ ସହିତ ତୁରନ୍ତ ଚିକିତ୍ସା କରାନଯାଏ, ତେବେ ଏହା ଘାତକ ପ୍ରମାଣିତ ହୋଇପାରେ।