ନୂଆଦିଲ୍ଲୀ: ଫ୍ଲାଇଦୁବାଇ ଆକ୍ରମଣ ଘଟଣାକୁ ନେଇ ଯାହା ସନ୍ଦେହ କରାଯାଉଥିଲା ତାହା ଆଜି ସାମ୍ନାକୁ ଆସିଛି । ଚିଫ୍ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରେ ଆକ୍ରମଣ କରିଥିବା କୋ-ପାଇଲଟଙ୍କ ନିଶାଣରେ କେବଳ ସ୍ମିତ ନ ଥିଲେ ବରଂ ତାଙ୍କ ଲକ୍ଷ୍ୟ ଥିଲା ଇସ୍ରାଏଲୀ ବିମାନ ବନ୍ଦରରେ ଏକ ବଡ଼ ଧରଣର ଆତଙ୍କୀ ହମଲା କରିବା, ଯାହା ସଫଳ ହୋଇପାରିନଥିଲା । ଆଉ ଏଥିପାଇଁ ସେ ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ବରଂ ଚାକିରୀ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ ।
ଜେରା ବେଳେ କୋ-ପାଇଲଟ୍ ହମାମ ଅଲ୍-ହମ୍ମାମୀ ସ୍ୱୀକାର କରିଛନ୍ତି ଯେ ଇସ୍ରାଏଲର ବେନ୍ ଗୁରିଅନ ବିମାନ ବନ୍ଦର ପ୍ଲେନ୍ କ୍ରାସ କରି ବିସ୍ଫୋରଣ କରିବା । ବେନ୍ ଗୁରିଅନ ବିମାନ ବନ୍ଦର ୯/୧୧ ଭଳି ଆକ୍ରମଣ କରିବାକୁ ଯୋଜନା ଥିଲା, ଯାହା ସ୍ମିତ ମଚ୍ଛାରଙ୍କ ବୀରତ୍ୱ ପାଇଁ ପଣ୍ଡ ହୋଇଯାଇଥିଲା । ଯେଉଁଥିପାଇଁ ୧୭୬ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିଲା ।
ପ୍ରଥମ ଯୋଜନାରେ ବିମାନବନ୍ଦର
ହମ୍ମାମୀ ନିଜେ ସ୍ୱୀକାର କରିଛି ଯେ ସେ ଏୟାରଲାଇନ୍ ଚାକିରୀ କରିବା ପୂର୍ବରୁ ଏଭଳି ଆକ୍ରମଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା । ଯେଉଁ ଏୟାରଲାଇନ୍ସ ଇସ୍ରାଏଲକୁ ସଂଯୋଗ କରୁଛି ସେ ସେହି ବିମାନ କମ୍ପାନୀରେ ଯୋଗ ଦେବାକୁ ତଲାସ କରିଥିଲେ । ଯାହା ଦ୍ୱାରା ସେ ନିଜର ଯୋଜନାକୁ ରୂପାନ୍ତରିତ କରିପାରିବେ । ଘଟଣା ଦିନ ସେ ପ୍ରଥମେ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ଉପରକୁ ଆକ୍ରମଣ କରିବା ପରେ ଏହା ପରେ ବିମାନକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଥାଆନ୍ତା । ତା ପରେ ବିମାନକୁ ତେଲ୍ ଅବିବର ବେନ ଗୁରିୟନ ଆନ୍ତର୍ଜାତୀୟ ବିମାନବନ୍ଦରର ଏକ ବଡ଼ କୋଠା, କିମ୍ବା ରନ୍-ୱେରେ ଥିବା ବିମାନ କିମ୍ବା ଏକ ଚଳନ୍ତା ବିମାନ ସହିତ ଉକ୍ତ ବିମାନକୁ ଧକ୍କା ଦେଇଥାଆନ୍ତା ।
ବେନ୍ ଗୁରିଅନ ବିମାନ ବନ୍ଦର ହେଉଛି ଇସ୍ରାଏଲର ପ୍ରମୁଖ ଏବଂ ସବୁଠାରୁ ବ୍ୟସ୍ତବହୁଳ ଆନ୍ତର୍ଜାତୀୟ ବିମାନ ବନ୍ଦର। ଏହା ଇସ୍ରାଏଲର ଲୋଡ୍ ସହରର ଉତ୍ତର ପାର୍ଶ୍ୱରେ ଅବସ୍ଥିତ, ଯାହା ତେଲ୍ ଆଭିଭ୍ଠାରୁ ପ୍ରାୟ ୨୦ କିଲୋମିଟର ଏବଂ ଜେରୁଜେଲମଠାରୁ ୪୫ କିଲୋମିଟର ଦୂରରେ ରହିଛି ।
ଦ୍ୱିତୀୟରେ ଆମେରିକୀୟ ସେନା ଠିକଣା
ଦ୍ୱିତୀୟ ଯୋଜନାରେ ଯଦି ସେ ବିମାନବନ୍ଦର ନିକଟରେ ପହଁଚି ପାରିନଥାଆନ୍ତା ତାହା ହେଲେ ଜୋର୍ଡନରେ ଥିବା ଆମେରିକୀୟ ସେନା ଠିକଣାରେ ବିମାନକୁ ଧକ୍କା ଦେଇଥାଆାନ୍ତା । ସେପ୍ଟେମ୍ବର ପୂର୍ବରୁ ଜୁଲାଇ ମାସରେ ସେ ଏହି ଯୋଜନାକୁ ରୂପ ଦେଇଥାଆନ୍ତା, କିନ୍ତୁ କ୍ର୍ୟୁ ସଦସ୍ୟଙ୍କ ସହିତ ବନ୍ଧୁତା ବଢ଼ିଯିବାରୁ ସେ ଏହାକୁ ବାତିଲ କରିଥିଲା ।
ହମ୍ମାମୀର ପରିଚୟରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ସେ ଉଗ୍ରବାଦୀ ଚିନ୍ତାଧାରାର ଥିଲା । ତାର ସୋସିଆଲ ମିଡ଼ିଆରେ ଆତଙ୍କୀ ସଂଗଠନ ଅଲ-କାଏଦା ସହିତ ଜଡ଼ିତ ଅନେକ ଫଟୋ ପୋଷ୍ଟ କରାଯାଇଛି । କିନ୍ତୁ ସେ ଏକା ଏହି ଆକ୍ରମଣ ଯୋଜନା କରିବାକୁ ଚାହୁଁଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ତେଲ୍ ଅବିବ ଯାଉଥିବା ଫ୍ଲାଏଦୁବାଇ ବିମାନରେ ହମ୍ମାମୀ ପ୍ରଥମେ ଜରୁରୀକାଳୀନ ବକ୍ସରେ ଥିବା କୁରାଢ଼ୀ ବାହାର କରି କ୍ୟାପଟେନ୍ ସ୍ମିତଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲା । ମୁଣ୍ଡକୁ ଶକ୍ତ ଆଘାତ ଦେବା ସହିତ ହାତରେ ଚୋଟ ମାରିଥିଲା । କ୍ୟାପଟେନ୍ ତଳେ ପଡ଼ିଯିବାରୁ ସେ ନିଜ ନିୟନ୍ତ୍ରଣକୁ ବିମାନକୁ ନେବାକୁ ଚେଷ୍ଟା କରିଥିଲା । ମାତ୍ର ଏହି ସମୟରେ ସ୍ମିତ ମଚ୍ଛାର ସାହସିକତାପୂର୍ବକ ବିମାନର କକପିଟ୍ କୁ ଖୋଲି ଦେଇଥିଲେ । ଏହା ପରେ କ୍ର୍ୟୁ ସଦସ୍ୟ ଏବଂ ଯାତ୍ରୀମାନେ ହମ୍ମାମକୁ କାବୁ କରିବା ସହିତ ମଚ୍ଛାରଙ୍କୁ ରକ୍ଷା କରିଥିଲେ ଏବଂ ପରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି ।