ପୁରୀ: ଦୀର୍ଘ ତିନି ବର୍ଷ ପରେ ପୁରୀ ସହରରେ ପୁଣି ଆରମ୍ଭ ହୋଇଛି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପ୍ରକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ମହାନଗର ଅଞ୍ଚଳରେ କୁକୁରଙ୍କ ବନ୍ଧ୍ୟାକରଣ ସହ ଟିକାକରଣ ଆରମ୍ଭ କରାଯାଇଛି।
ପୁରୀ ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଏକ ଠିକା ସଂସ୍ଥା ସହ ଏକ ବର୍ଷର ଚୁକ୍ତି କରାଯାଇଛି। ଚୁକ୍ତି ଅନୁଯାୟୀ ପ୍ରତିମାସରେ ପ୍ରାୟ ୫୦ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯିବ। ବର୍ଷକୁ ମୋଟ ୬୦୦ଟି କୁକୁରଙ୍କ ଅପରେସନ୍ କରିବାକୁ ଲକ୍ଷ୍ୟ ରହିଛି।
ଗୋଟିଏ କୁକୁରର ଅପରେସନ୍ ଓ ଟିକାକରଣ ପାଇଁ ମହାନଗର ନିଗମ ପକ୍ଷରୁ ସଂସ୍ଥାକୁ ୨,୫୦୦ ଟଙ୍କା ଦିଆଯିବ। ଅପରେସନ୍ ପାଇଁ ପୂର୍ବରୁ କିଣାଯାଇଥିବା ଆବଶ୍ୟକ ଯନ୍ତ୍ରପାତି ମଧ୍ୟ ସୁରକ୍ଷିତ ରଖାଯାଇଛି।
ସୂଚନା ଅନୁସାରେ, ପୁରୀରେ ୨୦୨୦ ମସିହାରୁ କୁକୁର ବନ୍ଧ୍ୟାକରଣ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୩ରେ ହାଇକୋର୍ଟଙ୍କ କଟକଣା ପରେ ଏହା ବନ୍ଦ ହୋଇଯାଇଥିଲା। ଫଳରେ ଗତ ତିନି ବର୍ଷ ମଧ୍ୟରେ ସହରରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଥିବା ଆକଳନ କରାଯାଉଛି। ବର୍ତ୍ତମାନ ପୁରୀ ସହରରେ ୪ ହଜାରରୁ ଅଧିକ ବୁଲା କୁକୁର ଥିବା ଆକଳନ କରାଯାଇଛି।
କୁକୁରଙ୍କୁ ଧରିବା ପରେ ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଆବଶ୍ୟକ ଟିକା ଦିଆଯାଇ ବନ୍ଧ୍ୟାକରଣ କରାଯିବ। ଦୀର୍ଘଦିନ ପରେ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହୋଇଥିବାରୁ ସହରବାସୀ ଖୁସି ପ୍ରକାଶ କରିଛନ୍ତି। ତେବେ ଦେଶୀ ପ୍ରଜାତିର ସମସ୍ତ କୁକୁରଙ୍କୁ ବନ୍ଧ୍ୟାକରଣ ନକରିବା ପାଇଁ କିଛି ସାମାଜିକ କର୍ମୀ ଦାବି କରିଛନ୍ତି।