ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ବହୁଚର୍ଚ୍ଚିତ ଅକ୍ଷୟ କୁମାର ମାଝୀ ହତ୍ୟା ମାମଲାରେ ଆସିଛି ବଡ଼ ରାୟ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ଭୋଇଙ୍କ ସମେତ ମୋଟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୩ କୋର୍ଟ।
୨୦୨୪ ମସିହା ମାର୍ଚ୍ଚ ୨୩ ତାରିଖରେ ବାଲିପାଟଣା ବଜାରରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅକ୍ଷୟ କୁମାର ମାଝୀ ପରିବା କିଣିବା ପାଇଁ ବଜାରକୁ ଯାଇଥିବା ବେଳେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଅକ୍ଷୟଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ, ଅକ୍ଷୟ ଜଣେ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ବାରମ୍ବାର ବାର୍ତ୍ତା ପଠାଉଥିବା ନେଇ ସନ୍ଦେହ ରହିଥିଲା। ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ଏହାସହ ଜମିଜମାକୁ ନେଇ ପୂର୍ବରୁ ମଧ୍ୟ ପାରିବାରିକ ଶତ୍ରୁତା ଥିବା ଜଣାପଡ଼ିଥିଲା। ପରେ ଏହି ବିବାଦ ହତ୍ୟାକାଣ୍ଡର ରୂପ ନେଇଥିଲା।
ମାମଲାର ଶୁଣାଣି ସମୟରେ ୧୦ ଜଣ ସାକ୍ଷୀଙ୍କ ବୟାନ ଏବଂ ୨୫ଟି ଦସ୍ତାବିଜକୁ ଆଧାର କରି କୋର୍ଟ ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଛି। କୋର୍ଟଙ୍କ ରାୟ ପରେ ସମସ୍ତ ଦୋଷୀଙ୍କୁ ଝାରପଡ଼ା ଜେଲ୍ ପଠାଯାଇଛି।